fbpx

୨୦୨୪ ଲୋକସଭା ପର୍ଯ୍ୟନ୍ତ ସୋନିଆ ହିଁ ରହିବେ କଂଗ୍ରେସର ବସ୍, ବିଦ୍ରୋହୀଙ୍କୁ ମିଳିପାରେ ପ୍ରମୋସନ

ନୂଆଦିଲ୍ଲୀ : ଦୀର୍ଘ ସମୟ ଧରି କଂଗ୍ରେସରେ ନେତୃତ୍ଵ ପରିବର୍ତ୍ତନ ଦାବି ଉଠି ଆସିଛି। ଏନେଇ ଦଳରେ ବିରୋଧର ସ୍ଵର ମଧ୍ୟ ଉଠିଛି। ସାଂଗଠନିକସ୍ତରରେ ନିର୍ବାଚନ କରିବାକୁ ବରିଷ୍ଠ ନେତା ମଧ୍ୟ ଦାବି କରି ଆସିଛନ୍ତି। ହେଲେ ପାର୍ଟି ନିର୍ବାଚନକୁ ଘୁଞ୍ଚାଇ ଚାଲିଛି। ହେଲେ ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସ ଅଧ୍ୟକ୍ଷ ପଦରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା କମ ରହିଛି। ଅନ୍ୟପଟେ ପାର୍ଟିରେ ବିରୋଧର ସ୍ଵର ଉଠାଉଥିବା ନେତାମାନଙ୍କୁ ସଂଗଠନରେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ଦିଆଯାଇପାରେ। ପାର୍ଟି ସୂତ୍ର ଅନୁଯାୟୀ, ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ହିଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ପଦରେ ରହି ପାରନ୍ତି। ଏଥିସହ ଏହାର ସମ୍ଭାବନା ମଧ୍ୟ ରହିଛି ଯେ, ଦେଶର ସବୁଠୁ ପୁରୁଣା ପାର୍ଟି ଯୁବ ଚେହେରାଙ୍କୁ ସଂଗଠନରେ ପ୍ରମୁଖ ପଦରେ ନିଯୁକ୍ତ ଦିଆଯାଇପାରେ।

ଟାଇମ୍ସ ନାଓର ଖବର ଅନୁଯାୟୀ, ଆଗାମୀ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ହିଁ କଂଗ୍ରେସର ଅଧ୍ୟକ୍ଷ  ରହିବେ। ରାହୁଲ ଗାନ୍ଧୀଙ୍କ କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହେବାର ସମ୍ଭାବନା କମ ରହିଛି। ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପାର୍ଟି ସଂଗଠନରେ  ବଡ ଧରଣର ଅଦଳ ବଦଳ କରିବାକୁ  ଯୋଜନା ପ୍ରସ୍ତୁର କରୁଛି। ଏଥିରେ ଯୁବ କଂଗ୍ରେସ ନେତା ଓ ଗାନ୍ଧୀ ପରିବାରର ବିଶ୍ଵସ୍ତ ଲୋକଙ୍କୁ ପାର୍ଟି ସଂଗଠନ ଭିତରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ମିଳିପାରେ।

ପାର୍ଟିରେ ଚାରି ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତ କରାଯିବାର ଆଶା ରହିଛି। ଏମାନେ ସବୁ ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସହାୟତା କରିବେ। କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ଦୌଡରେ  ଗୁଲାମ ନବି ଆଜାଦ, ସଚିନ ପାଇଲଟ, କୁମାରୀ ଶୈଲଜା, ମୁକୁଲ ଓ୍ଵାସନିକ ଓ ରମେଶ ଚେନ୍ନିଥଲା ସବୁଠୁ ଆଗରେ ଅଛନ୍ତି। ଉଲ୍ଲେଖନୀୟ ଗୁଲାମ ନବି ଆଜାଦ ସେହି ଜି-୨୩ ଗୋଷ୍ଠୀର ନେତା ଯେଉଁଥିରେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସଂଗଠନ ପରିବର୍ତ୍ତନ ଦାବି କରିଥିଲେ। ଅନ୍ୟପଟେ ସଚିନ ପାଇଲଟ ମଧ୍ୟ କଂଗ୍ରେସ ଦଳ ଭିତରେ ବିଦ୍ରୋହ ମଧ୍ୟ କରିଥିଲେ। କଂଗ୍ରେସ ନେତୃତ୍ଵ ପରିବର୍ତ୍ତନରେ ପ୍ରିୟଙ୍କା ଗାନ୍ଧୀଙ୍କ କଣ ଭୂମିକା ରହିବ ଏହି ବିଷୟରେ କୌଣସି ସୂଚନା ମିଳିପାରି ନାହିଁ।

Get real time updates directly on you device, subscribe now.