fbpx

(Video) ବିଶ୍ୱକପର ଅନ୍ୟତମ ସଫଳତମ ବୋଲର ଶାମି: ଜାଣନ୍ତୁ ଭାରତୀୟ କ୍ରିକେଟରଙ୍କର ସଂଘର୍ଷଭରା କାହାଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବିଶ୍ୱକପରେ ଭାରତ ୬ଟି ମ୍ୟାଚରୁ ୬ଟିରେ ବିଜୟ ହାସଲ କରି ୧୨ ପଏଣ୍ଟ ପାଇବା ସହିତ ସେମିଫାଇନାଲ ପାଇଁ ନିଜର ସ୍ଥାନ ଏକପ୍ରକାର ପକ୍କା କରିସାରିଛି । ତେବେ ଏହା ମଧ୍ୟରେ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହମ୍ମଦ ଶାମିଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି । ଚଳିତ ବିଶ୍ୱକପରେ ଶାମି ପ୍ରଥମ ୪ଟି ମ୍ୟାଚରେ ପ୍ଲେଇଂ-୧୧ରେ ସୁଯୋଗ ପାଇନଥିଲେ ।

ଅକ୍ଟୋବର ୨୨ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ପ୍ରଥମ ମ୍ୟାଚରେ ଶାମି ୫ଟି ୱିକେଟ ନେଇ ଟିମ୍ ଇଣ୍ଡିଆର ବିଜୟର ପ୍ରମୁଖ କର୍ଣ୍ଣଧାର ସାଜିଥିଲେ । ଏହାପରେ ଅକ୍ଟୋବର ୨୯ ତାରିଖରେ ଇଂଲଣ୍ଡ ବିପକ୍ଷରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିବା ବେଳେ ଦଳକୁ ନିଶ୍ଚିତ ପରାଜୟରୁ ଉଦ୍ଧାର କରିଥିଲେ ଶାମି । ସେହି ମ୍ୟାଚରେ ଶାମି ଶାଣିତ ବୋଲିଂ କରି ୪ଟି ୱିକେଟ ହାସଲ କରିଥିଲେ । ଶାମିଙ୍କ ବୋଲିଂକୁ ଇଂଲଣ୍ଡର ଜନ୍ନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ ପରି ତାରକା ବ୍ୟାଟ୍ସମ୍ୟାନ ବୁଝିପାରିନଥିଲେ ।

ତେବେ ଦୁଇଟି ମ୍ୟାଚରେ ଭାରତ ବିଜୟରେ ପଡ଼ିଆ ଭିତରେ ହିରୋ ସାଜିଥିବା ଶାମିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ‘ଶାମି ପଡ଼ିଆରେ ହିରୋ, ମାତ୍ର ବ୍ୟକ୍ତିଗତ ଜୀବନରେ ଅର୍ଥାତ ସ୍ତ୍ରୀଙ୍କ ପାଇଁ ଭିଲେନ’ ବୋଲି ଅନେକ କହୁଛନ୍ତି । ବାସ୍ତବ କଥା ହେଉଛି, ଗତ କିଛି ବର୍ଷ ଧରି ପାରିବାରିକ ବିବାଦରେ ଛନ୍ଦି ହୋଇ, ଆଇନଗତ ଲଢ଼େଇରେ ସଂଘର୍ଷ କରୁଥିବା ଶାମିଙ୍କ ସଫଳତାକୁ ନେଇ ଏବେ ସାରା ଦେଶ ଉତ୍ସବମୁଖର ।

୨୦୧୪ ମସିହା ଜୁନ ୬ ତାରିଖରେ ଶାମି ହାସିନ ଜହାଁଙ୍କୁ ବିବାହ କରିଥିଲେ । ହାସିନଙ୍କୁ ବିବାହ କରିବା ନେଇ ପରିବାର ଲୋକେ ଅଗ୍ରାହ୍ୟ ପ୍ରକାଶ କରିଥିଲେ ହେଁ ଶାମି ତାଙ୍କୁ ବିବାହ କରିଥିଲେ । ମାତ୍ର ଏହି ବିବାହ ବେଶିଦିନ ତିଷ୍ଠି ପାରିନଥିଲା । ସୃଷ୍ଟି ହୋଇଥିଲା ଝଡ଼ । ହାସିନ ପୂର୍ବରୁ ବିବାହିତା ଥିବାବେଳେ ୨୦୧୦ରେ ତାଙ୍କର ଛାଡ଼ପତ୍ର ହୋଇଥିଲା । ପରବର୍ତ୍ତୀ ସମୟରେ ହାସିନ ଶାମିଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଥିଲେ । ଶାମି ତାଙ୍କୁ ନିର୍ଯାତନା ଦେଉଥିବା ଓ ଅନ୍ୟ ଯୁବତୀଙ୍କ ସହିତ ଅନ୍ତରଙ୍ଗ ଚାଟ କରୁଥିବା ନେଇ ହାସିନ ଅଭିଯୋଗ କରିଥିଲେ । ଏହାପରେ ଶାମିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ପାରବାରିକ ବିବାଦ ଭିତରେ ଛନ୍ଦିହୋଇ ବି ଶାମି ଉଚ୍ଚକୋଟୀର ପ୍ରଦର୍ଶନ କରି ଚାଲିଥିଲେ । ତେବେ ଶାମିଙ୍କୁ ଏତେ ସହଜରେ ସଫଳତା ମିଳିନାହିଁ । ଶାମିଙ୍କ ଜୀବନର ସଂଘର୍ଷ ଭରା କାହାଣୀ ଶୁଣିଲେ ଆପଣଙ୍କର ବି ଲୋମ ଟାଙ୍କୁରି ଉଠିବ । ସଂଘର୍ଷ କରି କିପରି ଜୀବନରେ ଜିତିବାକୁ ତାହା ଶାମିଙ୍କ ଠାରୁ ଶିଖିବା ଦରକାର । ଶାମି ୧୯୯୦ ମସିହା ସେପ୍ଟେମ୍ବର ମାସ ୩ ତାରିଖରେ ଉତ୍ତରପ୍ରଦେଶର ଅମ୍ରୋହର ସାହସପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୧୩ ମସିହା ଜାନୁଆରୀ ମାସରେ ପାକିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ ଦିନିକିଆରେ ଡେବ୍ୟୁ କରିଥିଲେ । ଉକ୍ତ ମ୍ୟାଚରେ ସେ ୯ ଓଭର ବୋଲିଂ କରି ୪ ଓଭର ମେଡେନ ଦେଇ ଗୋଟିଏ ୱିକେଟ ହାସଲ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ସେହି ବର୍ଷ ନଭେମ୍ବରରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରି ୫ଟି ୱିକେଟ ଅକ୍ତିଆର କରିଥିଲେ । ୨୦୧୪ ମସିହା ବେଳକୁ ଶାମି ଟିମ୍ ଇଣ୍ଡିଆର ଅନ୍ୟତମ ସଫଳ ପେସ ବୋଲର ଭାବେ ଖ୍ୟାତି ଅର୍ଜନ କରିସାରିଥିଲେ ।

ଶାମି ଦ୍ରୁତତମ ଭାରତୀୟ ବୋଲର ଭାବେ ୧୦୦ଟି ୱିକେଟ ନେଇଥିଲେ । ୨୦୧୯ ବିଶ୍ୱକପରେ ସେ ଦ୍ୱିତୀୟ ଭାରତୀୟ ବୋଲର ଭାବେ ହ୍ୟାଟ୍ରିକ ଅର୍ଜନ କରିଥିଲେ । ୨୦୨୨ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଶାମିଙ୍କୁ ଦ୍ୱିତୀୟ ସର୍ବୋଚ୍ଚ ଗ୍ରେଡର କ୍ରିକେଟର ଭାବେ ମାନ୍ୟତା ମିଳିଥିଲା । ପିଲାଦିନକୁ କ୍ରିକେଟ ପାଇଁ ପାଗଳ ଥିବା ଶାମି ଗୋଟିଏ ବି ଦିନ ଟ୍ରେନିଂ ମିସ୍ କରିନଥିଲେ । ଅଣ୍ଡର-୧୯ ଟ୍ରାଏଲ ସମୟରେ ପଲିଟିକ୍ସ କାରଣରୁ ସିଲେକ୍ସନ ହୋଇପାରି ନଥିବା ଶାମି ହାରିନଯାଇ ପ୍ରୟାସ ଜାରି ରଖିଥିଲେ । ଶାମିଙ୍କ ବାପା ପେଶାରେ ଜଣେ କୃଷକ ହୋଇଥିବା ବେଳେ ସେ ମଧ୍ୟ ଯୁବକ ସମୟରେ ଜଣେ ପେସ୍ ବୋଲର ଥିଲେ । ପାରିବାରିକ ଆର୍ଥିକ ଅନଶନ ଭିତରେ ଶାମି ପାଠପଢ଼ା ସାଙ୍ଗକୁ କ୍ରିକେଟ ପାଇଁ ସମୟ କାଢ଼ୁଥିଲେ । ଅନେକ ଟୁର୍ଣ୍ଣାମେଣ୍ଟରେ ସେ ଏକାକୀ ଦଳକୁ ଜିତାଇଥିଲେ । ୨୦୧୦ରେ ରଣଜୀ ଖେଳିବା ପାଇଁ ତାଙ୍କୁ ପ୍ରଥମ ଥର ସୁଯୋଗ ମିଳିଥିଲା ।

Get real time updates directly on you device, subscribe now.