ନୂଆଦିଲ୍ଲୀ: ସଂପ୍ରତି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯାଉଛି। ଟି-୨୦ ବିଶ୍ଵ କପ୍ ଦୃଷ୍ଟିରୁ ଏହି ସିରିଜ୍ ଗୁରୁତ୍ଵପୂର୍ଣ୍ଣ ମନେ ହୁଏ। କାରଣ ପ୍ରଦର୍ଶନ ଆଧାରରେ ହିଁ ଜଣା ପଡିବ ଯେ, କେଉଁ ଖେଳାଳିଙ୍କୁ ବିଶ୍ଵ କପ୍ ଦଳରେ ସ୍ଥାନ ମିଳିବ। ଏହା ମଧ୍ୟରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, ଭାରତୀୟ କୋଚ୍ ରାହୁଲ ଦ୍ରାବିଡ ଏବଂ ଦଳ ପ୍ରବନ୍ଧକ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ସେହି ଖେଳାଳିଙ୍କୁ ସୁଯୋଗ ଦେବାର ସମ୍ଭାବନା ରହିଛି, ଯିଏ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ଵ କପ୍ ଖେଳିବେ।
ଦଳର ପ୍ରମୁଖ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି, ଏବଂ ଯଶପ୍ରୀତ ବୁମରାଙ୍କ ପରି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇ ଭାରତୀୟ ଟି-୨୦ ଦଳରେ ବହୁତ ପ୍ରୟୋଗ କରାଯାଉଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଋଷଭ ପନ୍ତ ଦଳର ନେତୃତ୍ଵ ନେଇଛନ୍ତି। ଆୟରଲାଣ୍ଡ ବିପକ୍ଷ ଚଳିତ ମାସର ଶେଷ ଆଡକୁ ହେବାକୁ ଥିବା ଟି-୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇଛି। ଟି-୨୦ ବିଶ୍ଵ କପକୁ ଆଉ କିଛି ମାସ ବାକି ରହିଛି। ତେଣୁ ବିଶ୍ଵ କପର ସମ୍ଭାବିତ ଦଳକୁ ଇଂଲଣ୍ଡ ସିରିଜରେ ଖେଳିବାକୁ ସୁଯୋଗ ମିଳିବ ବୋଲି ଗାଙ୍ଗୁଲି କହିଛନ୍ତି।
ସୌରଭ ଗାଙ୍ଗୁଲିଙ୍କ ପ୍ରଶ୍ନ କରାଯାଇଥିଲା ଯେ, କଣ ଆଇସିସି ଟୁର୍ଣ୍ଣାମେଣ୍ଟକୁ ଆଉ କିଛି ମାସ ବାକି ଥିବା ବେଳେ ଖେଳାଳିଙ୍କ ରୋରେଟ୍ କରାଯିବା ଉଚିତ୍ ବିକଳ୍ପ କି ? ଏହାର ଉତ୍ତରରେ ଗାଙ୍ଗୁଲି କହିଛନ୍ତି, ରାହୁଲ ଦ୍ରାବିଡ ଏହା ଉପରେ ନଜର ରଖିଛନ୍ତି। ସେ କିଛି ସ୍ଥିତିରେ ଏକ ସ୍ଥିର ଖେଳାଳିଙ୍କ ସହ କ୍ରିକେଟ୍ ଖେଳିବାକୁ ଯୋଜନା କରୁଛନ୍ତି। ବୋଧହୁଏ ଇଂଲଣ୍ଡ ଗସ୍ତରେ ଆମେ ସେହି ଖେଳାଳି ସହ ମଇଦାନକୁ ଓହ୍ଲାଇବୁ ଯେଉଁମାନଙ୍କ ଅକ୍ଟୋବରରେ ଟି-୨୦ ବିଶ୍ଵ କପ୍ ଖେଳିବାର ସମ୍ଭାବନା ରହିଛି।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳୁଥିବା ଯୁବ ଭାରତୀୟ ଦଳ ନିଜ ପ୍ରଦର୍ଶନରେ ସଭିଙ୍କୁ ପ୍ରଭାବିତ କରିଛି। ସିରିଜ ୦-୨ରେ ପଛୁଆ ରହିବା ପରେ ଦଳ ଲଗାତାର ଦୁଇଟି ଜିତି ଦମଦାର ପ୍ରତ୍ୟାବର୍ତ୍ତନ କରିଛି। ଭାରତ ଇଂଲଣ୍ଡ ଗସ୍ତରେ ଗୋଟିଏ ଟେଷ୍ଟ ମ୍ୟାଚ୍ ବ୍ୟତୀତ ତିନୋଟି ଟି-୨୦ ଏବଂ ତିନୋଟି ମ୍ୟାଚର ଦିନିକିଆ ସିରିଜ୍ ଖେଳିବ। ଏହି ଗସ୍ତରେ ୪ ଦିନିଆ ଏକ ଓ୍ଵାର୍ମ ଅପ୍ ମ୍ୟାଚ୍ ବ୍ୟତୀତ ଦୁଇଟି ଟି-୨୦ ଅଭ୍ୟାସ୍ ମ୍ୟାଚ୍ ଖେଳିବାର ସୁଯୋଗ ମିଳିବ।