fbpx

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ଥାପନ ହେବ ସ୍ୱତନ୍ତ୍ର ଭେଣ୍ଡିଂ ଜୋନ୍, BMC କରୁଛି ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କ ପାଇଁ ଏକ ଖୁସି ଖବର ଆସିଛି । ମହିଳା ଏସଏଚଜିଙ୍କୁ ମିଳିବ ସ୍ୱତନ୍ତ୍ର ଭେଣ୍ଡିଂ ଜୋନ । ରାଜଧାନୀ ଭୁବନେଶ୍ୱର ସ୍ଥିତ ସିଆରପି ଛକ ନିକଟରେ ଏଥିପାଇଁ ଜାଗା ଚିହ୍ନଟ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ସୁଲୋଚନା ଦାସ ଏନେଇ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ସୂଚନା ମୁତାବକ, ଆସନ୍ତାବର୍ଷ ମାର୍ଚ୍ଚ ମାସରେ ମହିଳା ଦିବସ ପାଳିତ ହେବ । ସେ ସମୟରେ ମହିଳା ଦିବସ ଅବସରରେ ଏହି ଭେଣ୍ଡିଂ ଜୋନଗୁଡ଼ିକୁ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ସ୍ଥାନରେ ଭେଣ୍ଡିଂ ଜୋନ ସ୍ଥାପନ କରାଗଲେ ତାହା କେତେଦୂର ସୁବିଧାଜନକ ସାବ୍ୟସ୍ତ ହେବ, ସେନେଇ ଯାଞ୍ଚ କରିବାକୁ ଜେଡଡିସି ଓ ଡିସି (ମାର୍କେଟ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ଗତ ୧୦ ତାରିଖରେ ଅନୁଷ୍ଠିତ ସହର ଭେଣ୍ଡିଂ କମିଟିରେ ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ମୁତାବକ, ୨୦୧୫ ମସିହାରେ କରାଯାଇଥିବା ସର୍ଭେରେ ତାଲିକାଭୁକ୍ତ ଥିବା ଭେଣ୍ଡରଙ୍କ ମଧ୍ୟରୁ ପାଖାପାଖି ୭ ହଜାର ଭେଣ୍ଡର ଏବେ ନାହାନ୍ତି । ଏପରି ସ୍ଥଳେ କିଛି ନୂଆ ଭେଣ୍ଡର ମଧ୍ୟ ଯୋଗ ଦେଇଛନ୍ତି । ଯେଉଁମାନେ ତାଲିକାଭୁକ୍ତ ହୋଇନାହାନ୍ତି ୫ ବର୍ଷରେ ଥରେ ସର୍ଭେ କରାଯାଇ ସେମାନଙ୍କର ସଂଖ୍ୟା ହିସାବ କରାଯିବା କଥା । ତେଣୁ ଏମାନଙ୍କର ସଂଖ୍ୟା ଧାର୍ଯ୍ୟ କରିବାକୁ କୁହାଯାଇଛି ।

ସେହିପରି ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଭେଣ୍ଡିଂ ଜୋନ ନିର୍ମାଣ କରାଯିବାର ଯୋଜନା ରହିଛି । ବିଏମସି ପକ୍ଷରୁ ପ୍ରତି ଆପାର୍ଟମେଣ୍ଟରେ ୩ଟି ଦୋକାନ ଘର ରହିବ । ଏଥିପାଇଁ ଭୁବନେଶ୍ୱର ବିକାଶ କର୍ତ୍ତୃପକ୍ଷ (ବିଡିଓ) ପ୍ଲାନ ଦେବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.