ପାଟନା: ଦିନେ ଥିଲେ ଡେପୁଟି ମେୟର । ଆଉ ଆଜି ରାସ୍ତାରେ ବିକୁଛନ୍ତି ପରିବା । ଏହି ସ୍ଥିତି ଯେତିକି ଚିନ୍ତାଜନକ ସେତିକି ଆଶ୍ଚର୍ଯ୍ୟଜନକ । ଏଭଳି କଣ ପରିସ୍ଥିତି ହେଲା କି ଏତେ ଉଚ୍ଚ ପଦସ୍ଥ ରହି ବି ଆଜି ନିଜ ଗୁଜରାଣ ମେଣ୍ଟାଇବା ପାଇଁ ପରିବା ବିକୁଛନ୍ତି । ବିହାର ଗୟାରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନାରୁ ପ୍ରକାଶ ବିହାର ଗୟା ନିଗମରେ ୩୫ ବର୍ଷ ପର୍ଯ୍ୟନ୍ତ ଜଣେ ସଫେଇ କର୍ମୀ ଭାବେ କାର୍ଯ୍ୟ କରି ଆସୁଥିଲେ ଚିନ୍ତା ଦେବୀ । ଅବସର ନେବାର ୨ ବର୍ଷ ପରେ ଡିସେମ୍ବର ୨୦୨୨ରେ ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଥଲେ । ମଙ୍ଗଳବାର କେଦାରନାଥ ବଜାରରେ ତାଙ୍କୁ ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା । ତାଙ୍କ ଚାରି ପାଖରେ ଲୋକଙ୍କ ଭିଡ଼ ଜମିଥିଲା । ସେ ଅଭିଯୋଗ କରି କହିଛନ୍ତି, ‘ଗତ କିଛି ମାସ ହେବ ତାଙ୍କୁ ଦରମା ମିଳିନି । ଡେପୁଟି ମେୟର ଆସନରେ ବସି ଦରମା ନ ପାଇବା ଅପେକ୍ଷା ରାସ୍ତାରେ ବସି ପରିବା ବିକିବା ଭଲ । ଏଥିରୁ କିଛି ତ ରୋଜଗାର ହେବ । ସେଥିପାଇଁ ମୁଁ ପରିବା ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଲି ।’ ଅପରପକ୍ଷରେ ଚିନ୍ତା ଦେବୀ ନଗର ନିଗମର ମେୟର ଏବଂ ନଗର ନିଗମ ଅଧିକାରୀଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଅଭିଯୋଗ କରିଛନ୍ତି କି ତାଙ୍କୁ ଉପେକ୍ଷିତ କରାଯାଏ । ବୈଠକରେ ଡକାଯାଏନି କିମ୍ବା କୌଣସି ସୂଚନା ମଧ୍ୟ ଦିଆଯାଏ ନାହିଁ । ନଗର ନିଗମର ଜଣେ ଅବସରପ୍ରାପ୍ତ କର୍ମଚାରୀ ଭାବରେ ତାଙ୍କୁ ପେନସନ୍ ମିଳେ କିନ୍ତୁ ଡେପୁଟି ମେୟର ଭାବେ କୌଣସି ସୁବିଧା ପ୍ରଦାନ କରାଯାଏ ନାହିଁ । ଏନେଇ ବରିଷ୍ଠ ପୌରପାଳିକା ଅଧିକାରୀ ଚିନ୍ତା ଦେବୀଙ୍କ ଅଭିଯୋଗକୁ ନେଇ କୌଣସି ଟିପ୍ପଣୀ କରି ନାହାଁନ୍ତି । ତେବେ ଦେଖିବାକୁ ବାକି ରହିଲା ଚିନ୍ତା ଦେବୀଙ୍କ ବିଷୟରେ ବିହାର ସରକାର କ’ଣ ପଦକ୍ଷେପ ନେଉଛନ୍ତି ।