fbpx

(video): ଋତୁସ୍ରାବ ସମୟରେ ଭାରତର ଏ ସାହସୀ ଝିଅ ଉଠାଉଥିଲେ ଭାରତ୍ତୋଳନ, ଅଳ୍ପକେ ଚାଲିଗଲା ପଦକ

ଓଡିଶା ଭାସ୍କର: ଶରୀରରେ ଋତୁସ୍ରାବ ସମସ୍ୟା ଥିଲେ । ହେଲେ ହାତରେ ଥିଲା ଭାର ଓ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ । ଶରୀର କ୍ଲାନ୍ତ ହୋଇଥିଲା । କିନ୍ତୁ ମନ ତାଙ୍କର ମଜବୁତ ଥିଲା । ହାରିବାକୁ ପ୍ରସ୍ତୁତ ନ ଥିଲେ । ହେଲେ ହାରିଗଲେ । ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଷ୍ଟାର ମହିଳା ଭାରତ୍ତୋଳକ ବା ୱେଟଲିଫ୍ଟର ମୀରାବାଇ ଚାନୁଙ୍କଠୁ ପଦକର ବେଶ୍ ଆଶା ରହିଥିଲା । ୩ ବର୍ଷ ପୂର୍ବେ ମୀରା ଟୋକିଓରେ ମଧ୍ୟ ଭାରତକୁ ରୌପ୍ୟ ଭେଟି ଦେଇଥିଲେ । କିନ୍ତୁ ପ୍ୟାରିସରେ ପଦକ ତାଙ୍କ ହାତକୁ ଆସୁ ଆସୁ ଚାଲିଗଲା ।

ମହିଳା ୪୯ କିଲୋଗ୍ରାମ ବର୍ଗରେ ମୀରା ଚତୁର୍ଥ ସ୍ଥାନରେ ନିଜର ଅଭିଯାନ ଶେଷ କରିଛନ୍ତି । ୱେଟଲିଫଟିଂର ସ୍ନେଚ ରାଉଣ୍ଡରେ ସେ ଦମଦାର ପ୍ରଦର୍ଶନ କରିଥିଲେ । କିନ୍ତୁ, ଦ୍ୱିତୀୟ ରାଉଣ୍ଡ କ୍ଲିନ ଆଣ୍ଡ ଜର୍କରେ ମୀରା ସଂଘର୍ଷ କରୁଥିବାର ଦେଖିଥିଲେ ଖେଳପ୍ରେମୀ । ସେ ଏହି ରାଉଣ୍ଡରେ ୧୧୧ କିଲୋଗ୍ରାମ ଭାର ତ ଉଠାଇ ନେଲେ, ହେଲେ ୧୧୪ କିଲୋଗ୍ରାମ ଉଠାଇବାକୁ ସକ୍ଷମ ହୋଇ ପାରିଲେ ନାହିଁ ।

ମୀରାଙ୍କ ଆଜି ହେଉଛି ଜନ୍ମଦିନ । ଯଦି ସେ ପଦକ ଜିତିଥାନ୍ତେ, ତେବେ ଏହି ଜନ୍ମଦିନ ବେଶ୍ ସୁନ୍ଦର ଲାଗି ଥାଆନ୍ତା ବୋଲି ସେ ପ୍ରକାସ କରିଛନ୍ତି । ତଥାପି ଭାରତର ଏହି ମହିଳା ୱେଟଲିଫଟର ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି । ମୀରା କହିଛନ୍ତି ଯେ, ସେ ଖେଳିବା ସମୟରେ ଋତୁସ୍ରାବ ଦେଇ ଗତି କରୁଥିଲେ । ତାଙ୍କର ଖେଳ ଦିନ ତାଙ୍କର ଋତୁସ୍ରାବର ତୃତୀୟ ଦିନ ଥିଲା । ଫଳରେ ତାଙ୍କ ଶରୀର ଦୁର୍ବଳ ହୋଇ ଯାଇଥିଲା । ଯାହା ତାଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପକାଇଥିଲା । ସେ ନିଜର ବେଷ୍ଟ ଦେଲେ, ହେଲେ ସେ ଦିନ ତାଙ୍କର ନ ଥିଲା ବୋଲି ମୀରା ପ୍ରକାଶ କରିଛନ୍ତି ।

ଯଦି ଏହି ଋତୁସ୍ରାବ ନ ହୋଇ ଥାଆନ୍ତା, ତେବେ ମୀରାଙ୍କ ପ୍ରଦର୍ଶନ ବୋଧେ ଭିନ୍ନ ବି ହୋଇ ପାରି ଥାଆନ୍ତା । ଅଳ୍ପକେ ସେ ପଦକରୁ ବର୍ତ୍ତଗଲେ ସତ, ହେଲେ ଏବେ ମୀରା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ତାଙ୍କର ସାହସ ଅନ୍ୟ ଝିଅଙ୍କୁ ସାହସ ଦେଉଛି । ଦେଶ କହୁଛି ‘ମୀରାଙ୍କୁ ସଲାମ’ ।

Get real time updates directly on you device, subscribe now.