ଜିରୋ ନାଇଟରେ ଜଗାକୁ ଦେଖିପାରିବେ ଭକ୍ତ, ରାତି ସାଢ଼େ ୧୨ ସୁଦ୍ଧା ଫିଟିବ ଦ୍ବାର

ଭୁବନେଶ୍ବର: ଆଉ କେଇ ଘଣ୍ଟା ପରେ ବିଦାୟ ନେବ ବର୍ଷ 2024 । 2025 ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ତେବେ ନୂଆବର୍ଷରେ ଶ୍ରୀଜଗନ୍ନାଥଙ୍କ ଆର୍ଶିବାଦ ନେବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଦେଖାଯାଇଛି । ପ୍ରବଳ ଭିଡକୁ ଦେଖି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ତେବେ ଭିଡକୁ ଦୃଷ୍ଟିର ରଖି ଅଧ ରାତିରୁ ଶ୍ରୀମନ୍ଦିରର ଦ୍ବାରଫିଟା ନୀତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ନୂଆ ବର୍ଷ ଭିଡ଼କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବଡ ସୂଚନା ଦେଇଛନ୍ତି । ଆଜି ରାତି ସାଢ଼େ ୧୨ ସୁଦ୍ଧା ଦ୍ବାର ଫିଟା ନେଇ ଆଶା ରଖାଯାଇଛି ।  ରାତି ୧୦ରୁ ସାଢ଼େ ୧୦ ଭିତରେ ପହୁଡ ହେବ । ଏହାପରେ ପୁଣିଥରେ ଦ୍ବାରଫିଟା ନୀତି କରାଯିବ । ଶୀଘ୍ର ପହୁଡ଼, ଦ୍ବାର ଫିଟା ନୀତି ହେଲେ ଶ୍ରଦ୍ଧାଳୁଙ୍କ ଦର୍ଶନ ସହଜ ହେବ ।  ବର୍ତ୍ତମାନ ସୁଦ୍ଧା ସମସ୍ତ ନୀତିକାନ୍ତି ଠିକ୍‌ ଭାବେ ଚାଲିଛି ।  ଶ୍ରଦ୍ଧାଳୁଙ୍କୁ ମାର୍କେଟ୍‌ ଛକ ଠାରୁ ଧାଡ଼ିରେ ଆସିବାକୁ ପରାମର୍ଶ ଦିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । କିନ୍ତୁ ସିଂହଦ୍ବାର ଦେଇ ଭକ୍ତ ପ୍ରବେଶ କରିପାରିବେ ନାହିଁ ।