ଷ୍ଟାଫ ନର୍ସଙ୍କୁ ଦେଢ଼ ବର୍ଷ ହେଲା ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି ଡାକ୍ତର, ଅଭିଯୋଗ ଆଣି ନିରାଶ ପରେ ଥାନାରେ ପୀଡିତା
ଡାକ୍ତରଙ୍କ ବିରୋଧରେ ଷ୍ଟାଫ ନର୍ସଙ୍କ ନିର୍ଯାତନା ଅଭିଯୋଗ ।
ଭୁବନେଶ୍ବର: ରାଜ୍ୟରେ ନିର୍ଯାତନା ଅଭିଯୋଗ ଥମିବାର ନାଁ ଧରୁନି । ଏବେ ପୁଣି ରାଜ୍ୟ ରାଜଧାନୀରୁ ଅଭିଯୋଗ ସାମ୍ନାକୁ ଆସିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ୍ କଲେଜର ଜଣେ ପ୍ରଫେସର ଡାକ୍ତରଙ୍କ ବିରୋଧରେ ଜଣେ ଷ୍ଟାଫ ନର୍ସ ମାନସିକ ଓ ଶାରୀରିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ।
ଅଭିଯୋଗ ଅନୁଯାୟୀ, ଗତ ଦେଢ଼ ବର୍ଷ ଧରି ଏହି ନର୍ସ ନିର୍ଯାତନାର ଶିକାର ହୋଇ ଆସୁଛନ୍ତି । ଏନେଇ ସେ ବିଭିନ୍ନ ଫୋରମ୍ରେ ଅଭିଯୋଗ କରି ନିରାଶ ହେବା ପରେ ବର୍ତ୍ତମାନ ମଞ୍ଚେଶ୍ୱର ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି ।
ଷ୍ଟାଫ ନର୍ସଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଡାକ୍ତର ତାଙ୍କୁ ଲାଗାତାର ମାନସିକ ଓ ଶାରୀରିକ ନିର୍ଯାତନା ଦେଇଆସୁଛନ୍ତି । ଏହି ଘଟଣା ସମ୍ପର୍କରେ ଅଭିଯୋଗ କରିବା ସତ୍ତ୍ବେ କୌଣସି ଲାଭ ହୋଇନଥିଲା ।
ଏହି ଘଟଣାରେ ମେଡିକାଲ୍ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିପାରିନାହିଁ । ମଞ୍ଚେଶ୍ୱର ଥାନାରେ ଅଭିଯୋଗ ନେଇ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି ।ଏହି ଘଟଣା ସ୍ଥାନୀୟ ସ୍ତରରେ ଆଲୋଚନାର ବିଷୟ ହୋଇଥିବା ବେଳେ ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି ।