ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣା: ୩୫ ଜଣିଆ ତାଲିକା ଜାରି କଲେ ମନମୋହନ

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଛନ୍ତି । ଏହା ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ତାଙ୍କର ନୂଆ ଟିମ୍ ଘୋଷଣା କରିଛନ୍ତି । ୩୫ ଜଣିଆ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି ମନମୋହନ । ଗତ ଏପ୍ରିଲ ମାସରେ ମନମୋହନ ରାଜ୍ୟ ବିଜେପିର ମଙ୍ଗ ଧରିଥିବା ବେଳେ ତାଙ୍କର ନୂଆ ଟିମ୍ ଗଠନ ନେଇ ବେଶ୍ କିଛି ଦିନ ଧରି ଚର୍ଚ୍ଚା ହେଉଥିଲା ।

ଏହା ମଧ୍ୟରେ ଗତ ମେ ମାସରେ ମନମୋହନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟିଥିଲେ । ଉକ୍ତ ସାକ୍ଷାତ ସମୟରେ ନଡ୍ଡାଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରଙ୍ଗରେ ଆଲୋଚନା ହୋଇଥିବା ମନମୋହନ ଟ୍ୱିଟ କରି ସୂଚନା ଦେଇଥିଲେ । ତା’ପରେ ମନମୋହନ ନୂଆ ଟିମ୍ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଥିଲା । ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ମନମୋହନ ତାଙ୍କ ଟିମରେ ଅନେକ ନେତାଙ୍କୁ ସ୍ଥାନ ଦେଇଛନ୍ତି ।

ବିଜେପିର ୩୫ ଜଣିଆ ଟିମରେ ୧୦ ଜଣ ଉପସଭାପତି, ୫ ଜଣ ସାଧାରଣ ସମ୍ପାଦକଙ୍କୁ ସାମିଲ କରାଯାଇଛି । ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ନାଉରୀ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, କୁସୁମ ଟେଟେ, ଗୋଲକ ମହାପାତ୍ର, ସୁକେଶି ଓରାମ ଓ ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ବିଜେଡି ଯୁବ ମୋର୍ଚ୍ଚା ସଭାପତି ହୋଇଛନ୍ତି ଅଭିଳାଷ ପଣ୍ଡା ହୋଇଥିବା ବେଳେ ମହିଳା ମୋର୍ଚ୍ଚା ସଭାପତି ହୋଇଛନ୍ତି ଡକ୍ଟର ଐଶ୍ୱର୍ଯ୍ୟା ବିଶ୍ୱାଳ । ସେହିପରି ମହେଶ୍ୱର ସାହୁ କିଷାନ ମୋର୍ଚ୍ଚା ସଭାପତି, ନିତ୍ୟାନନ୍ଦ ଗଣ୍ଡ ଏସଟି ମୋର୍ଚ୍ଚା, ବିଭୁପ୍ରସାଦ ତରାଇ ଏସସି ମୋର୍ଚ୍ଚା, ସୁରଥ ବିଶ୍ୱାଳ ଓବିସି ମୋର୍ଚ୍ଚା ସଭାପତି ହୋଇଛନ୍ତି ।