fbpx

ରାଜ୍ୟରେ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’: ୧୮ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୯ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ୧୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଜନଜାତି ସମ୍ପ୍ରଦାୟ ଜୀବିକା ଓ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ସୂଚନା ଦିଆଯାଇଛି ।

ବିଭିନ୍ନ ପର୍ଯ୍ୟାୟରେ ୧୪ ଲକ୍ଷ ଜନଜାତି ପରିବାରକୁ ଏହି ଯୋଜନାରେ ସାମିଲ କରାଯିବ । ଏଥିପାଇଁ ଆର୍ଥିକ ବର୍ଷ ୨୦୨୫-୨୬ ମଧ୍ୟରେ ରାଜ୍ୟ ସରକାର ୫ ଶହ କୋଟି ନିବେଶ କରିବେ । ଏହା ମାଧ୍ୟମରେ ଜନଜାତି ପରିବାରଙ୍କ ଆୟ ବୃଦ୍ଧି ପାଇଁ ସାର, ବିହନ ଓ ଜଳସେଚନ ସୁବିଧା ପ୍ରଦାନ କରାଯିବ । ସେହିପରି ରାଜ୍ୟରେ କଣ୍ଟ୍ରୋଲ ଡିଲରଙ୍କ ଲାଇସେନ୍ସକୁ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି । ଯେଉଁମାନଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ ସେମାନଙ୍କର ସାଧାରଣ ବଣ୍ଟନ ବ୍ୟବସ୍ଥା ପରିଚାଳନା ପାଇଁ ଲାଇସେନ୍ସକୁ ୦୧.୦୪.୨୦୨୩ରୁ ୩୧.୦୩.୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

୨୦୦୫ ମାର୍ଚ୍ଚ ପରେ ଯେଉଁମାନେ ଅବସର ଗ୍ରହଣ ବା ମୃତ୍ୟୁବରଣ କରିଥିବେ ସେମାନଙ୍କୁ / ପରିବାରକୁ ସର୍ବନିମ୍ନ ଅବସରକାଳୀନ ପ୍ରାପ୍ୟ / ପାରିବାରିକ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ଅଁଳାଡୋଭା ମୌଜାର ରାଇରଙ୍ଗପୁର ଗୋଶାଳା କମିଟି ଦଖଲରେ ଥିବା ଏ.୫.୦୦ ଡି ସରକାରୀ ଜମିକୁ ବିନା ପ୍ରିମିୟମ ଓ ଆନୁଷଙ୍ଗିକ ଦେୟରେ ରାଇରଙ୍ଗପୁର ଗୋଶାଳା କମିଟିର ସମ୍ପାଦକଙ୍କୁ ଲିଜରେ ଦେବାକୁ ମଞ୍ଜୁରୀ ମିଳିଛି ।

ଓଡ଼ିଶା ଟାଉନ ପ୍ଲାନିଂ ସ୍କିମ ପାଇଁ ଏହା ଅଧିନରେ ଆସୁଥିବା ଅଞ୍ଚଳରେ ଚାଷ ଜମିକୁ ଅଣଚାଷ ଉଦ୍ଦେଶ୍ୟରେ କିସମ ପରିବର୍ତ୍ତନ ଦେୟ ମୁକ୍ତ କରାଯିବ । ପଞ୍ଚାୟତିରାଜ ଯାନ୍ତ୍ରିକ ସେବା ନିୟମାବଳୀ ୨୦୧୭କୁ ସଂଶୋଧନ କରାଯାଇ ପଞ୍ଚାୟତିରାଜ କ୍ୟାଡରର ସହକାରୀ ଯନ୍ତ୍ରୀଙ୍କୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଗ୍ରେଡକୁ ପଦୋନ୍ନତି ଦିଆଯିବ । ନୟାଗଡ଼ର ‘ବଲାଙ୍ଗିର ବନ୍ଧ ପାର୍କ ଓ ପୁଷ୍କରିଣୀ’ ନିର୍ମାଣ ପାଇଁ ନୟାଗଡ଼ର ସୁଜାତା ମହାପାତ୍ରଙ୍କ ବେସରକାରୀ ଜମିକୁ ସରକାରୀ ଖାତାଭୁକ୍ତ କରାଯାଇ ସମାନ ପରିମାଣର ସରକାରୀ ଜମି ଉପରେ ତାଙ୍କ ସପକ୍ଷରେ ସରକାରୀ ଷ୍ଟାମ୍ପ ଦେୟ ଓ ପଞ୍ଜିକରଣ ଫି ଛାଡ଼ କରାଯିବ ।

କାର୍ଯ୍ୟ କ୍ଷେତ୍ରରେ ନୀତି ଓ ଯୋଜନା ତଦାରଖ ପାଇଁ ଉପଯୁକ୍ତ ଅଧିକାରୀ ନିୟୋଜିତ ଲକ୍ଷ୍ୟରେ ସ୍ୱଳ୍ପ ସଞ୍ଚୟ କ୍ୟାଡର ସୀମିତ ପୁନର୍ଗଠନ କରାଯାଇଛି । ଏହି ପ୍ରକ୍ରିୟାରେ ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟାରେ ପରିବର୍ତ୍ତନ ହେବ ନାହିଁ । ଶ୍ୟାମଭକ୍ତ ମିଶ୍ର, ପରିଚାଳନା ନିର୍ଦ୍ଦେଶକ ବୟନିକା ଏବଂ ନିର୍ଦ୍ଦେଶକ ହସ୍ତଶିଳ୍ପ (ଅତିରିକ୍ତ ଦାୟିତ୍ୱ)ଙ୍କୁ ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ ପଦରେ ଦିଆଯାଇଥିବା ନିଯୁକ୍ତିକୁ ଅନୁମୋଦନ ମିଳିଛି । ପୂର୍ବରୁ ପ୍ରଣୟନ ହୋଇଥିବା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, ୧୯୮୨ ଓ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ, ୧୯୯୨ ବଦଳରେ ଏକ ନୂଆ ନିୟମ ପ୍ରଣୟନ ହେବ ।

Get real time updates directly on you device, subscribe now.