fbpx

ଏଣିକି ପୁରୁଷ ଓ ମହିଳା କଏଦୀଙ୍କୁ ମିଳିବ ଟେଲରିଂ, କମ୍ପ୍ୟୁଟର ଓ ନର୍ସିଂ ଟ୍ରେନିଂ: ରାଜ୍ୟ ସରକାର ଗଠନ କଲେ କଏଦୀ ଉନ୍ନୟନ ବୋର୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କଏଦୀମାନଙ୍କୁ ମିଳିବ କମ୍ପ୍ୟୁଟର ଶିକ୍ଷା ଓ ନର୍ସିଂ ଟ୍ରେନିଂ । ଜେଲ ବିଭାଗରେ ୫ଟି ଲାଗୁ ହେବା ପରେ କଏଦୀ ଓ କାରାଗାର ବିଭାଗରେ ବୈପ୍ଲବିକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏନେଇ ରାଜ୍ୟ ସରକାର ପ୍ରିଜିନ ଡେଭଲପମେଣ୍ଟ ବୋର୍ଡ ବା କଏଦୀ ଉନ୍ନୟନ ବୋର୍ଡ ଗଠନ କରିଛନ୍ତି । ପୂର୍ବରୁ ତେଲେଙ୍ଗାନା, ପଞ୍ଜାବ ଓ ଦିଲ୍ଲୀ ଭଳି କିଛି ରାଜ୍ୟରେ ଏହି ବୋର୍ଡ ଗଠନ କରାଯାଇଥିଲା ।

ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ସରକାର ଏହି ବୋର୍ଡ ଗଠନ କରିଛନ୍ତି । ଏହି ବୋର୍ଡରେ ମୁଖ୍ୟ ଦାୟିତ୍ୱରେ ରହିଛନ୍ତି ମୁଖ୍ୟ ଶାସନ ସଚିବ । ଏଥିସହିତ ବୋର୍ଡର ସଦସ୍ୟ ଭାବେ ଜେଲ ଡିଜି ଓ ଅନ୍ୟ ଅଧିକାରୀମାନେ ସାମିଲ ହେବେ । ଏହାଦ୍ୱାରା କାରାଗାର ଓ କଏଦୀଙ୍କ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । କିଛି ରାଜ୍ୟର ଜେଲ ପରିଦର୍ଶନ କରିବା ପରେ ଜେଲ ଡିଜି ଓଡ଼ିଶାରେ ଏହି ବୋର୍ଡ ଗଠନ କରିଛନ୍ତି ।

ତେବେ ଏଣିକି ଜେଲ ଭିତରେ ଓ ଜେଲରୁ ମୁକୁଳିବା ପରେ କଏଦୀମାନେ ସ୍ୱାବଲମ୍ବୀ ହୋଇପାରିବେ । କଏଦୀ ଓ କାରାଗାର ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଛି । କଏଦୀମାନଙ୍କୁ ଦକ୍ଷତା ବିକାଶ ପାଇଁ ଟ୍ରେନିଂ ଦିଆଯିବ । ପୁରୁଷ କଏଦୀଙ୍କୁ ମାନୁଫାକଚରିଂ, ଫୁଡ୍ ପ୍ରୋସେସିଂ, କମ୍ପ୍ୟୁଟର ସ୍କିଲ ଶିକ୍ଷା ଦିଆଯିବ । ମହିଳା କଏଦୀଙ୍କୁ ଟେଲରିଂ, ହେୟାର କଟ, ବିୟୁଟିପାର୍ଲର ଟ୍ରେନିଂ, ନର୍ସିଂ, ଟ୍ରେନିଂ ଦିଆଯିବ । ଜେଲରୁ ବାହରିବା ପରେ କଏଦୀମାନେ ଅପରାଧ ଦୁନିଆରେ ପାଦ ନଦେଇ ନିଜ ଗୋଡ଼ରେ ଛିଡ଼ା ହୋଇ ଗୁଜୁରାଣ ମେଣ୍ଟାଇ ପାରିବେ । ରାଜ୍ୟର ସମସ୍ତ ଜେଲରେ ଖୁବଶୀଘ୍ର ଏହିସବୁ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଜେଲ ଡିଜି କହିଛନ୍ତି ।

Get real time updates directly on you device, subscribe now.