fbpx
BJD SKY
BJD SKY

ମୂର୍ତ୍ତି ଉଚ୍ଚତାକୁ ନେଇ ଲାଗିଲା କଟକଣା: ନ ମାନିଲେ ଗଣିବେ ମୋଟା ଅଙ୍କର ଜୋରିମାନା

BJD

ଭୁବନେଶ୍ୱର : ଆସୁଛନ୍ତି ବିଘ୍ନ ବିନାଶନ ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶ । ଗିରିଜାନନ୍ଦନଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପଲ୍ଲୀରୁ ଦିଲ୍ଲୀ । ଏଥିପାଇଁ ମୂର୍ତ୍ତି କାରିଗର ମାନେ ମଧ୍ୟ ବ୍ୟସ୍ତ ଅଛନ୍ତି ।ଏହାରି ମଧ୍ୟରେ ମୂର୍ତ୍ତି ନିର୍ମାଣରେ ଲାଗିଛି କଟକଣା। ମଣ୍ଡପରେ ପୂ୍ଜା ପାଇବାକୁ ଥିବା ମୂର୍ତ୍ତିଗୁଡ଼ିକର ଉଚ୍ଚତା ୨୦ଫୁଟ୍‌ ରହିବ। ମେଢ଼ ସହ ମୂର୍ତ୍ତିର ଉଚ୍ଚତା ୪୦ ଫୁଟ୍‌ କରାଯାଇପାରିବ। ପୂଜା ଅନୁଷ୍ଠାନଗୁଡ଼ିକ ଯେତେ‌ଦୂର ସମ୍ଭବ, ଛୋଟ ମୂର୍ତ୍ତି ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବେ। ମୂର୍ତ୍ତିଗୁଡ଼ିକ ପରିବେଶ ଅନୁକୂଳ ହେବାର ଆବଶ୍ୟକ ରହିଛି।

ପାର୍ବଣ ଋତୁ ଆରମ୍ଭରୁ ରାଜ୍ୟ ସରକାରଙ୍କ ‘ଦି ଓଡ଼ିଶା ପ୍ରିଭେନ୍ସସନାଲ୍‌ ଆଣ୍ଡ୍‌ କଣ୍ଟ୍ରୋଲ ଅଫ୍‌ ୱାଟର ପଲ୍ୟୁସନ ରୁଲ୍ସ-୨୦୨୧’ ଆଧା‌ରରେ ଏଭଳି କଟକଣା ଲଗାଯାଇଛି। ଯଦି କୌଣସି ମୂର୍ତ୍ତି କାରିଗର କିମ୍ବା ପୂଜା କମିଟି ନିୟମର ଉଲ୍ଲଂଘନ କରୁଥିବା ନଜରକୁ ଆସେ, ସ୍ଥାନୀୟ ପ୍ରଶାସନ ଜରିମାନା ଆଦାୟ କରିପାରିବେ। ପଞ୍ଚାୟତସ୍ତରରେ ଥିବା ପୂଜା କମିଟିକୁ ୩ ହଜାର, ମ୍ୟୁନିସିପାଲିଟି ଓ ଏନ୍‌ଏସି ଅଞ୍ଚଳର ପୂଜା କମିଟିକୁ ୫ ହଜାର, ମହାନଗର ନିଗମ ଅଞ୍ଚଳର ପୂଜା କମିଟିଗୁଡ଼ିକ ଲାଗି ୭ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ସ୍ଥାନୀୟ ପ୍ରଶାସନ ବ୍ୟାଙ୍କ ଡ୍ରାଫ୍ଟ ଆକାରରେ ଜରିମାନା ଆକାରରେ ଏହାକୁ ଆଦାୟ କରିବେ।

ପାର୍ବଣକୁ ପ୍ରଦୂଷଣମୁକ୍ତ କରିବା ଲାଗି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ଜାରି ନିୟମାବଳୀରେ ଏଭଳି କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଯେଉଁଥିରେ ଗଣେଶ ପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା ତଥା‌ କାଳୀ ପୂଜାକୁ କେଉଁଭଳି ଭାବେ ପ୍ରଦୂଷଣମୁକ୍ତ କରିହେବ, ସେନେଇ ଉଲ୍ଲେଖ ହୋଇଛି। ପୂଜା କମିଟି, ଜିଲ୍ଲା ପ୍ରଶାସନ, ସାଧାରଣ ଜନତା କ’ଣ କରିବେ, ସେନେଇ ମଧ୍ୟ କୁହାଯାଇଛି। ତେବେ ମୂର୍ତ୍ତି ଉଚ୍ଚତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଗୋଟିଏପଟେ ଗଣେଶ ପୂଜା ଲାଗି ମୂର୍ତ୍ତି ନିର୍ମାଣ ଶେଷ ହୋଇସାରିଛି। ସବୁ ପୂଜା ଅନୁଷ୍ଠାନ ମନଇଚ୍ଛା ମୂର୍ତ୍ତି ନିର୍ମାଣ କରିଛନ୍ତି।

Get real time updates directly on you device, subscribe now.