ଭୁବନେଶ୍ବର: ଓଡିଶା ଫେରିପାରେ ପୋସ୍କୋ । 19 ବର୍ଷ ପରେ ଦକ୍ଷିଣ କୋରିଆର ଇସ୍ପାତ କମ୍ପାନୀ ପୋସ୍କୋ ଓଡିଶା ଫେରିପାରେ ବୋଲି ଜଣାପଡିଛି । ଏନେଇ ଜେଏସଡବ୍ଲୁ ସହିତ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିବା ଜଣାପଡିଛି । ତେବେ ଦୁଇ କମ୍ପାନୀ ମିଳିତ ଭାବେ ଭାରତରେ ଷ୍ଚିଲ ପ୍ଲାଣ୍ଟ ସ୍ଥାପନ କରିବେ । ତେବେ ଭାରତର କେଉଁ ସ୍ଥାନରେ ଏହି ପ୍ଲାଣ୍ଟ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ଓଡିଶାରେ ହେବା ନେଇ ଚର୍ଚ୍ଚା ହେଉଛି । ଏହି ପ୍ଲାଣ୍ଟର ବାର୍ଷିକ କ୍ଷମତା 5 ନିୟୁତ ଟନ୍ ରହିବ । ମୁମ୍ବାଇ ଠାରେ ଜେଏସଡବ୍ଲୁ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଏବଂ ପୋସ୍କୋର ଅଧ୍ୟକ୍ଷ ଚାଙ୍ଗ-ଇନ ହ୍ବାଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ।
ଏମଓୟୁ ମୁତାବକ, ଉଭୟ କମ୍ପାନୀ ଷ୍ଟିଲ, ବ୍ୟାଟେରୀ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବେ । ଓଡିଶାରେ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ନେଇ 2005 ତାରିଖରେ ପୋସ୍କୋ ଓଡିଶା ସରକାରଙ୍କ ସହିତ ବୁଝାବଣା ସ୍ବାକ୍ଷରିତ କରିଥିଲା । ତେବେ ମଞ୍ଜୁଳି ମିଳିବାରେ ବିଳମ୍ବ କାରଣରୁ ପ୍ରକଳ୍ପରୁ ଓହରିଯାଇଥିଲା । ପରେ ପୋସ୍କା ଅଧିଗ୍ରହଣ କରିଥିବା 2900 ଏକର ଜମିକୁ ରାଜ୍ୟ ସରକାର ଜେଏସଡବ୍ଲ୍ୟୁ ଷ୍ଟିଲକୁ ଏହାର ପ୍ରସ୍ତାବିତ 10 ଏମଟିପିଏ ଷ୍ଟିଲ ପ୍ଲାଣ୍ଟ ପାଇଁ ପ୍ରଦାନ କରିଥିଲେ । ତେବେ ଜେଏସଡବ୍ଲୁ ଷ୍ଟିଲ ଏବଂ ପୋସ୍କୋ ଦ୍ବାରା ପ୍ରସ୍ତାବିତ 5 ଏମଟିପିଏ ପ୍ଲାଣ୍ଟ ଓଡିଶାରେ ଥିବା ସମାନ ଜମିରେ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଦୁଇ କମ୍ପାନୀ ମଧ୍ୟରେ ବୁଝାମଣା ଇସ୍ପାତ କାରଖାନା ଏବଂ ଇଲେକ୍ଟ୍ରିକ ଯାନକୁ ନେଇ ହୋଇଥିବା ଜଣାପଡିଛି ।