fbpx

UGCର ନୂଆ ଗାଇଡଲାଇନ୍ସ: ଏକସଙ୍ଗେ ଦୁଇଟି କୋର୍ସରେ ଆଡମିଶନ କରିପାରିବେ ଛାତ୍ରଛାତ୍ରୀ

Advertisement

ନୂଆଦିଲ୍ଲୀ: ଦେଶର ଛାତ୍ରଛାତ୍ରୀଙ୍କ ଶିକ୍ଷାର ଅଗ୍ରଗତି ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ଏହି ଅବସରରେ ନିକଟରେ ୟୁଜିସି ପକ୍ଷରୁ ନୂଆ ଗାଇଡଲାଇନ୍ସ ଜାରି କରାଯାଇଛି । ନୂଆ ଶିକ୍ଷାବର୍ଷରେ ବିଶ୍ୱବିଦ୍ୟାଳୟ ସ୍ତରୀୟ ଶିକ୍ଷା କ୍ଷେତ୍ରରେ ଏକ ବଡ଼ଧରଣର ପରିବର୍ତ୍ତନ ହେବାକୁ ଯାଉଛି । କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ସଙ୍ଗେ ଦୁଇଟି କୋର୍ସ କରିପାରିବେ । ଏହି ସ୍କିମକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ପ୍ରଦାନ କରି ସାରିଛନ୍ତି ।

ତେବେ ଏହି ପ୍ରସ୍ତାବ ଉପରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ପକ୍ଷରୁ ମୋହର ଲାଗିବ ବାକି ରହିଛି । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ବିଦ୍ୟାର୍ଥୀମାନେ ଏକସଙ୍ଗେ ଦୁଇଟି କୋର୍ସରେ ପାଠପଢ଼ା ଆରମ୍ଭ କରିପାରିବେ । ଏପରି କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାଖରେ ବଢ଼ିଆ ବିକଳ୍ପ ରହିବ । ସେମାନେ ଗୋଟିଏ କୋର୍ସକୁ ରେଗୁଲାର ଭାବେ କରି ଅନ୍ୟଟିକୁ ଡିଷ୍ଟାନ୍ସ ମୋଡ଼ରେ କରିପାରିବେ ।

ଏକସଙ୍ଗେ ଦୁଇଟି କୋର୍ସ କରିବା ନେଇ ସ୍ୱାଧିନତା ପ୍ରଦାନ କରିବା ନୂଆ ଶିକ୍ଷାନୀତି ୨୦୨୦ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ଏହା ଅଧିନରେ ସାରା ଦେଶର ଛାତ୍ରଛାତ୍ରୀ ଏକସଙ୍ଗେ ଦୁଇଟି ଡିଗ୍ରୀ ହାସଲ କରିପାରିବେ । ୟୁଜିସି ପକ୍ଷରୁ ଏଥିପାଇଁ ନୂଆ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି । ଏନେଇ ୟୁଜିସି ଅଧ୍ୟକ୍ଷ ଏମ. ଜଗଦୀଶ କୁମାର କହିଛନ୍ତି, ନୂଆ ଶିକ୍ଷାବର୍ଷଠାରୁ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟର୍ଣ୍ଣଶିପ ଜରୁରୀ ହେବ । ମାର୍କେଟ ଚାହିଦା ଅନୁଯାୟୀ ପିଲାଙ୍କର ଦକ୍ଷତା ବିକାଶ କରିବା ଏହାର ଉଦ୍ଦେଶ୍ୟ । ଏଥିସହିତ ପିଲାଙ୍କୁ ଟ୍ରେନିଂ ମଧ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.