fbpx

ବାଂଲାଦେଶ ବିପକ୍ଷରେ ବାଦ୍ ପଡ଼ିବେ ଶୁଭମନ୍: ଟିମ ଇଣ୍ଡିଆକୁ ଫେରିବେ ଇଶାନ୍ କିଶାନ୍!

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଉପ-ଅଧିନାୟକ ଶୁଭମନ୍ ଗିଲଙ୍କ ପାଇଁ ଆସିଛି ଏକ ଅଶୁଭ ଖବର । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ପ୍ରମୁଖ ଖେଳାଳି ଭାବରେ ଦଳରେ ସ୍ଥାନ ପାଇଥିବା ବେଳେ ଟି-୨୦ ସିରିଜରୁ ବାଦ୍ ପଡ଼ିପାରନ୍ତି ଷ୍ଟାର ଓପନର ଶୁଭମନ୍ ଗିଲ୍ । ତାଙ୍କ ସ୍ଥାନରେ ଦଳକୁ କମବ୍ୟାକ କରିପାରନ୍ତି ଷ୍ଟାର ୱିକେଟ କିପର ଇଶାନ୍ କିଶାନ୍ । ତାଙ୍କ ପାଇଁ ବର୍ତ୍ତମାନ ଭାରତୀୟ ଦଳକୁ ପେରିବା ପାଇଁ ସୁଯୋଗ ଆସିଛି ବୋଲି କୁହାଯାଉଛି ।

ରିପୋର୍ଟ ମୁତାବିକ, ସେପ୍ଟେମ୍ବର ୧୯ ତାରିଖରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସିରିଜରେ ରୋହିତ-ବିରାଟଙ୍କ ବ୍ୟତୀତ ଟିମ ଇଣ୍ଡିଆର ଶୀର୍ଷକ୍ରମ ଭାର ବହନ କରିବେ ଯଶସ୍ୱୀ ଜଏସ୍ୱାଲ ଏବଂ ଶୁଭମନ୍ ଗିଲ୍ । କିନ୍ତୁ ଏହାପରେ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ସିରିଜରୁ ତାଙ୍କୁ ବାଦ୍ ଦିଆଯିବ । ବିସିସିଆଇର କାର୍ଯ୍ୟଭାର ପ୍ରବନ୍ଧନ ନୀତି ଅନୁସାରେ ବାଂଲାଦେଶ ବିପକ୍ଷ ସିରିଜରୁ ଗିଲଙ୍କୁ ବିଶ୍ରାମ ଦିଆ ଯାଇପାରେ । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ଦୃଷ୍ଟିରେ ରଖି ଶୁଭମନ ଗିଲଙ୍କୁ ବିଶ୍ରାମ ଦିଆ ଯାଇପାରେ । ଏହାବ୍ୟତୀତ ଅନ୍ୟ କିଛି ମହତ୍ତ୍ୱପୂର୍ଣ୍ଣ ଖେଳାଳିଙ୍କୁ ମଧ୍ୟ ଏହି ସିରିଜରେ ବିଶ୍ରାମ ଦିଆଯାଇପାରେ ।

ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶୁଭମନ୍ ଗିଲ୍ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡ଼ିବେ । ସେହିପରି ବର୍ତ୍ତମାନ ଷ୍ଟାର ୱିକେଟ କିପର ଇଶାନ୍ କିଶାନଙ୍କ ପାଇଁ ଟିମ ଇଣ୍ଡିଆର ଦ୍ୱାର ଖୋଲିଛି । ଏହି ସିରିଜରେ ଯଦି ଋଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଏ, ତେବେ ଦଳରେ ଇଶାନଙ୍କ ଏଣ୍ଟ୍ରି ସୁନିଶ୍ଚିତ ବୋଲି କୁହାଯାଇପାରେ । ଦୁଲୀପ ଟ୍ରଫିରେ ଦମଦାର ପ୍ରଦର୍ଶନ କରି ଭାରତୀୟ ଦଳକୁ ପେରିବା ପାଇଁ ହୁଙ୍କାର ଦେଇଛନ୍ତି ଇଶାନ୍ କିଶାନ୍ । ତେବେ ଋଷଭଙ୍କ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।

ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ମଧ୍ୟରେ ମାତ୍ର ୩ ଦିନର ଅନ୍ତର ରହିଛି । ଏଥିପାଇଁ ଏହି ସିରିଜରୁ ଗିଲଙ୍କ ସହ ଜଶପ୍ରୀତ ବୁମରାହ ଏବଂ ମହମ୍ମଦ ସିରାଜଙ୍କୁ ମଧ୍ୟ ବିଶ୍ରାମ ନେଇପାରନ୍ତି ଚୟନକର୍ତ୍ତା । ବର୍ତ୍ତମାନ ସମୟରେ ଟି-୨୦ କ୍ରିକେଟ ଅପେକ୍ଷା ଦିନିକିଆ ଏବଂ ଟେଷ୍ଟ ଉପରେ ଅଧିକ ଗୁରୁତ୍ୱ ଦେଉଛି ଟିମ ଇଣ୍ଡିଆ । କାରଣ ଆଗକୁ ଚମ୍ପିଆନ୍ସ ଟ୍ରଫି(ଦିନିକିଆ) ଏବଂ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଟ୍ରଫି ହାସଲ କରିବା ଟିମ ଇଣ୍ଡିଆର ନଜରରେ ରହିଛି । ଏଥିପାଇଁ ଏହି ୨ ଫର୍ମାଟରେ ଦଳର ବରିଷ୍ଠ ଖେଳାଳିଙ୍କୁ ସାମିଲ କରାଯିବା ସହ ଟି-୨୦ ଦଳରେ ଏମାନଙ୍କୁ ବିଶ୍ରାମ ମିଳିପାରେ ।

Get real time updates directly on you device, subscribe now.