fbpx

ନାରୀ ଆଗେଇଲେ ସମାଜ ଆଗେଇବ: ମହିଳାଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ସଫଳ ଚାଷୀ ରାଜଲକ୍ଷ୍ମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ କେବଳ ପୁରୁଷ ନୁହନ୍ତି, ମହିଳାମାନେ ମଧ୍ୟ ଚାକିରି, ବ୍ୟବସାୟ କ୍ଷେତ୍ରରେ ବହୁତ ଆଗରେ ରହିଛନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ନିମାପଡ଼ାର ରାଜଲକ୍ଷ୍ମୀ ମହାନ୍ତି । ରାଜଲକ୍ଷ୍ମୀ କୁକୁଡ଼ା ଚାଷ କରି ନିଜ ପରିବାର ପ୍ରତିପୋଷଣ କରିବା ସହ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ସେ ତାଙ୍କର ଫାର୍ମରେ ଦେଶୀ, ବ୍ରଏଲର, ବନରାଜ, କଡକନାଥ ଆଦି ବିଭିନ୍ନ ପ୍ରକାରର କୁକୁଡ଼ା ରଖି ଆଗକୁ ବଢ଼ୁଛନ୍ତି ।

ରାଜଲକ୍ଷ୍ମୀଙ୍କ ତାଙ୍କର ଏହି ସଫଳତା ପାଇଁ ପୁରୀ କୃଷି ବିଜ୍ଞାନ କେନ୍ଦ୍ରରୁ ପୁରସ୍କାର ପାଇଛନ୍ତି । ରାଜଲକ୍ଷ୍ମୀଙ୍କ ଏପରି କାର୍ଯ୍ୟ ଦେଖି କୃଷି ବିଭାଗ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ କେବଳ କୁକୁଡ଼ା ଚାଷରେ ସୀମିତ ରହି ନାହାନ୍ତି ରାଜଲକ୍ଷ୍ମୀ, ଛତୁ ଓ ପରିବା ଚାଷ କରି ବ୍ୟବସାୟୀ କ୍ଷେତ୍ରରେ ନିଜର ଜୟଯାତ୍ରା ଅବ୍ୟାହତ ରଖିଛନ୍ତି । ତାଙ୍କର ଏହି ଉତ୍ତମ ପାଇଁ ତାଙ୍କୁ ଚାରିଆଡ଼ୁ ଛୁଟିଛି ପ୍ରଶଂସାର ଛୁଅ ।

କଳା କୁକୁଡ଼ା ଚାଷ କରି ରାଜଲକ୍ଷ୍ମୀ ପୁରୀ ଜିଲ୍ଲାର ପ୍ରଥମ ଚାଷୀ ଭାବେ ବିବେଚିତ ହୋଇଛନ୍ତି । ବଡ଼ି, ପାମ୍ପଡ଼ ଶୁଖେଇବା ମେଶିନ୍ ଉଦ୍ୟାନ ପକ୍ଷରୁ ତାଙ୍କୁ ସବସିଡି ଆକାରରେ ଯୋଗାଇ ଦିଆଯାଇଛି । କେବଳ ନିଜ ପାଇଁ କାମ କରୁନାହାନ୍ତି, ଅନେକ ମହିଳାଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି ରାଜଲକ୍ଷ୍ମୀ । ଅନେକ ମହିଳା ଗୋଷ୍ଠୀ ରାଜଲକ୍ଷ୍ମୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଚାଷ କାର୍ଯ୍ୟ କରି ବଢ଼ିଆ ରୋଜଗାର କରିପାରୁଛନ୍ତି । ମହିଳା ମାନେ ନିଜେ ରୋଜଗାରକ୍ଷମ ହେଲେ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି ରାଜଲକ୍ଷ୍ମୀ କହିଛନ୍ତି ।

Get real time updates directly on you device, subscribe now.