ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଆତ୍ମଘାତୀ ଆକ୍ରମଣ। ତାଲିବାନ ମନ୍ତ୍ରୀ ଖଲିଲୁର ରେହମାନ ହକ୍କାନି ନିହତ। ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସିର ଖବର ଆନୁସାରେ ତାଲିବାନ ମନ୍ତ୍ରୀ ଖଲିଲୁର ରେହମାନ ହକ୍କାନି ଏକ ଆତ୍ମଘାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଡିସେମ୍ବର ୧୧, ବୁଧବାର କାବୁଲ ସହରରେ ମନ୍ତ୍ରଣାଳୟ ଭିତରେ ହକ୍କାନିଙ୍କୁ ଆକ୍ରମଣ କରାଯାଇଥିବା ନେଇ ଚର୍ଚ୍ଚା । ଗୃହ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ସେମାନଙ୍କ ସହ ଅନ୍ୟ ୬ ଜଣଙ୍କର ମୃତ୍ୟୁ ଘଟିଛି ।
ହକ୍କାନି ଅଫିସରୁ ବାହାରିବା ସମୟରେ ବିସ୍ଫୋରଣ ଘଟିଥିଲା । ହକ୍କାନି ତାଲିବାନର ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନିଙ୍କ ଭିଣୋଇ ଥିଲେ । ଗତ ୩ ବର୍ଷ ଧରି ସେ ଶରଣାର୍ଥୀ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ତିନି ବର୍ଷ ତଳେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ହୋଇଥିବା ଆକ୍ରମଣରେ ନିହତ ହୋଇଥିବା ତାଲିବାନ ଗୋଷ୍ଠୀର ସେ ବରିଷ୍ଠ ନେତା । ଖଲିଲ ହକ୍କାନିଙ୍କ ଭାଇ ହକ୍କାନି ନେଟୱାର୍କର ପ୍ରତିଷ୍ଠାତା ଥିଲେ ।
ତାଙ୍କ ପୁତୁରା ସିରାଜୁଦ୍ଦିନ ହକ୍କାନି ତାଲିବାନ ସରକାରରେ ଆଭ୍ୟନ୍ତରୀଣ ମନ୍ତ୍ରୀ ଅଛନ୍ତି । ସିରାଜୁଦ୍ଦିନ ମଧ୍ୟ ଆମେରିକାର ମୋଷ୍ଟ ୱାଣ୍ଟେଡ ଲୋକଙ୍କ ତାଲିକାରେ ସାମିଲ ଅଛନ୍ତି । ତାଲିବାନ ସରକାରଙ୍କ ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟର ଜଣେ ମୁଖପାତ୍ର ମଧ୍ୟ ଖଲିଲୁର ରେହମାନ ହକ୍କାନିଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି । ଏହି ମୃତ୍ୟୁ ପାଇଁ କେବଳ ‘ସହିଦ’ ଶବ୍ଦ ବ୍ୟବହାର କରିବାକୁ ସେ ଗଣମାଧ୍ୟମକୁ କହିଛନ୍ତି ।