ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦ ତାରିଖରେ ରାଜ୍ୟସଭା ଉପନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟସଭା ଉପନିର୍ବାଚନ ପାଇଁ ସୁଜିତ କୁମାର ଏକମାତ୍ର ପ୍ରାର୍ଥୀ ରହିଥିବା ବେଳେ ଅନ୍ୟ କୌଣସି ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରାଯାଇନାହିଁ । ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁଜିତଙ୍କ ବିରୋଧରେ କୌଣସି ଦଳ ପ୍ରାର୍ଥୀପତ୍ର ଦାଖଲ କରିନଥିବାରୁ ପ୍ରାର୍ଥୀପତ୍ରରେ କୌଣସି ତ୍ରୁଟି ନଥିଲେ ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବାର ସମ୍ଭାବନା ରହିଛି । ସୁଜିତଙ୍କ ପ୍ରାର୍ଥୀପତ୍ର ଯାଞ୍ଚ କରଯିବା ପରେ ରାଜ୍ୟସଭା ଉପନିର୍ବାଚନର ଫଳାଫଳ ଘୋଷଣା କରାଯିବ ।
ଗତ ୯ ତାରିଖରେ ସୁଜିତ ବିଜେପି ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଦଳର ୩୦ ଜଣ ବିଧାୟକ ଓ ବିଜେପି ରାଜ୍ୟ ସଭାପତି ଉପସ୍ଥିତ ଥିଲେ । ପୂର୍ବରୁ ରାଜ୍ୟସଭା ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଭାବେ ସୁଜିତଙ୍କ ନାମ ଉପରେ ସଂସଦୀୟ ବୋର୍ଡ କମିଟି ମୋହର ମାରିଥିଲା । ଡିସେମ୍ବର ୧୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିଲା ।
ଡିସେମ୍ବର ୧୩ ନାମାଙ୍କନ ପ୍ରତ୍ୟାହାରର ଅନ୍ତିମ ତାରିଖ ରହିଛି । ତେବେ ରାଜ୍ୟସଭା ଉପନିର୍ବାଚନରେ ଅନ୍ୟ କୌଣସି ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିବାରୁ ସୁଜିତଙ୍କ ରାଜ୍ୟସଭା ଯିବା ଏକପ୍ରକାର ସୁନିଶ୍ଚିତ ହୋଇଯାଇଛି । ନାମାଙ୍କନ ପତ୍ରରେ କୌଣସି ତ୍ରୁଟି ନଥିଲେ ସୁଜିତ ପୁନର୍ବାର ରାଜ୍ୟସଭା ଯିବା ସୁନିଶ୍ଚିତ ହୋଇଛି । ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୬ରେ ରାଜ୍ୟସଭା ସାଂସଦ ପଦ ଓ ବିଜେଡିରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ତା’ ପରଠାରୁ ଉକ୍ତ ପଦଟି ଖାଲି ପଡ଼ିଥିଲା । ସୁଜିତଙ୍କ କାର୍ଯ୍ୟକାଳ ୨୦୨୬ ମସିହା ଏପ୍ରିଲ ୨ରେ ଶେଷ ହେବାକୁ ଥିବା ବେଳେ ସେ ଆଗୁଆ ଇସ୍ତଫା ଦେଇଥିଲେ । ତେବେ ସେ ବିଜେପିରେ ସାମିଲ ହେବା ପରେ ଦଳ ତରଫରୁ ତାଙ୍କୁ ପୁଣି ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲା ।