fbpx

ଅଦାନୀ-ହିଣ୍ଡେନବର୍ଗ ମାମଲା: ଗୌତମ ଅଦାନୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି 

ନୂଆଦିଲ୍ଲୀ: ଅଦାନୀ-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ଏହି ମାମଲାରେ ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଏକ ବଡ଼ ଆଶ୍ୱସ୍ତି । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ତଦନ୍ତକୁ ଠିକ୍ ବୋଲି ସର୍ବୋଚ୍ଚ ଅଦାଲତ ଦର୍ଶାଇଛନ୍ତି । ଏଥିସହିତ ସେବିର ଯାଞ୍ଚରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି ।

ସେବି ଏହି ମାମଲାରେ ୨୨ ଜଣ ଅଭିଯୁକ୍ତଙ୍କ ଉପରେ ଯାଞ୍ଚ କରୁଛି । ଅବଶିଷ୍ଟ ୨ ଅଭିଯୁକ୍ତଙ୍କ ପାଇଁ କୋର୍ଟ ୩ ମାସର ସମୟ ଦେଇଛନ୍ତି । ସକାଳ ୧୦.୩୦ ସମୟରେ କୋର୍ଟରେ ଏହି ମାମଲାର ଶୁଣାଣି କରାଯାଇଥିଲା । ସେବି ପକ୍ଷରୁ ଅଦାଲତରେ ଷ୍ଟାଟସ ରିପୋର୍ଟ ଦାଖଲ କରାଯିବା ପରେ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଗତ ନଭେମ୍ବର ମାସ ୨୪ ତାରିଖରେ ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ ।

ଆମେରିକୀୟ ଶର୍ଟ ସେଲର ଫାର୍ମ ଗତ ୨୦୨୩ ମସିହା ଜାନୁଆରୀ ମାସରେ ଅଦାନୀ ଗ୍ରୁପରେ ବେଆଇନ କାରବାର ଚାଲିଥିବା ନେଇ ଏକ ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିଥିଲା । ତା’ପରେ ଅଦାନୀ କମ୍ପାନୀର ଶେୟାରରେ ତୀବ୍ର ନିମ୍ନମୁଖୀ ଦେଖିବାକୁ ମିଳିଥିଲା । କମ୍ପାନୀର ଶେୟାର ଓଭରଭାଲ୍ୟୁଡ ହେବା, ମୂଲ୍ୟରେ ହେରଫେର ଓ ଋଣକୁ ନେଇ ଅନେକ ଗମ୍ଭୀର ପ୍ରଶ୍ନ ଉଠିଥିଲା । ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ ସେବିକୁ ନିର୍ଦ୍ଦେଶ ଦିଆଯାଇଥିବା ସୁପ୍ରିମକୋର୍ଟ କହିଥିଲେ । ସେବିର ଅଧିକାର କ୍ଷେତ୍ରରେ ହସ୍ତକ୍ଷେପ କରିବା ନେଇ କୋର୍ଟର ସୀମିତ ଅଧିକାର ରହିଥିବା ସିଜେଆଇ କହିଥିଲେ । ଏହି ମାମଲାର ଯାଞ୍ଚ ସେବି କରିବ, ଏସଆଇଟିକୁ ଏହି ମାମଲା ଟ୍ରାନ୍ସଫର କରାଯାଇ ପାରିବ ନାହିଁ ବୋଲି ଅଦାଲତ କହିଥିଲେ ।

Get real time updates directly on you device, subscribe now.