fbpx

କଲେଜିୟମ ଉପରେ ମନ୍ତ୍ରୀଙ୍କ ମନ୍ତବ୍ୟ ନେଇ ଖପ୍ପା ସୁପ୍ରିମକୋର୍ଟ, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ: କଲେଜିୟମ ବ୍ୟବସ୍ଥା ସମ୍ପର୍କରେ ସୁପ୍ରିମକୋର୍ଟରେ ଲଗାତାର ଶୁଣାଣି ଚାଲୁ ରହିଛି । ଗୁରୁବାର ଏହି ମାମଲାରେ ଶୁଣାଣି ଚାଲିଥିବାବେଳେ କୋର୍ଟ କେନ୍ଦ୍ର ଉପରେ ଅତ୍ୟଧିକ କ୍ରୋଧିତ ହୋଇଥିବା ଦେଖାଯାଇଥିଲା । କୋର୍ଟ ଖୋଲାଖୋଲି ଭାବେ କହିଛନ୍ତି ଯେ ଯେପର୍ଯ୍ୟନ୍ତ କଲେଜିୟମ ବ୍ୟବସ୍ଥା ରହିଛି, ସରକାର ମଧ୍ୟ ଏହାକୁ ଅନୁସରଣ କରିବାକୁ ପଡ଼ିବ । ଯଦି ସରକାର ଏ ବାବଦରେ କୌଣସି ଆଇନ କରିବାକୁ ଚାହୁଁଛନ୍ତି, ତେବେ କରିପାରିବେ । କିନ୍ତୁ କୋର୍ଟର ନ୍ୟାୟିକ ସମୀକ୍ଷା କରିବାର ଅଧିକାର ରହିଛି । ଏହା ମଧ୍ୟ ଜୋର ଦିଆଯାଇଛି ଯେ ମନ୍ତ୍ରୀମାନେ କଲେଜିୟମ ବ୍ୟବସ୍ଥା ଉପରେ ବିବୃତ୍ତି ଦେବା ଠାରୁ ଦୂରେଇ ରହିବା ଉଚିତ।

ଜଷ୍ଟିସ ସଞ୍ଜୟ କିଶନ କୌଲ କହିଛନ୍ତି ଯେ ସରକାର କଲେଜିୟମର ସୁପାରିଶକୁ ଦୁଇ କିମ୍ବା ତିନିଥର ପୁନର୍ବିଚାର ପାଇଁ ପଠାନ୍ତି । ସେହି ପୁନର୍ବିଚାର ପଛରେ ସରକାର କୌଣସି ଠୋସ୍ କାରଣ ଦେଇନାହାଁନ୍ତି । ଏହାର ଅର୍ଥ ହେଉଛି ସରକାର ସେମାନଙ୍କୁ ନିଯୁକ୍ତ କରିବାକୁ ଚାହୁଁନାହାଁନ୍ତି । ଏହା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ବିରୋଧୀ ଅଟେ । ଜଷ୍ଟିସ କୌଲ କହିଛନ୍ତି ଯେ କେନ୍ଦ୍ର ସରକାର କଲେଜିୟମ ଦ୍ୱାରା ପଠାଯାଇଥିବା ନାମ ମଧ୍ୟରୁ ୧୯ ନାମର ଫାଇଲ ଫେରାଇ ଦେଇଛନ୍ତି । ଏହି ଯୁଦ୍ଧ କେବେ ସମାଧାନ ହେବ ବୋଲି ପ୍ରଶ୍ନ ଉଠିଛି । ଯେତେବେଳେ ହାଇକୋର୍ଟ କଲେଜିୟମ ନାମ ପଠାଇଲେ ଏବଂ ସୁପ୍ରିମକୋର୍ଟ କଲେଜିୟମ କୁ ମଧ୍ୟ ଅନୁମତି ଦେଇଥିଲେ, ତେବେ ସମସ୍ୟା କେଉଁଠାରେ ରହିଛି ବୋଲି ପ୍ରଶ୍ନ ଉଠିଛି । ଏହି ସମଗ୍ର ପ୍ରକ୍ରିୟାରେ ଅନେକ କାରଣ ରହିଛି । କିଛି ନିୟମ ମଧ୍ୟ ଅଛି । ଜଷ୍ଟିସ୍ କୌଲ କହିଛନ୍ତି ଯେ ଯେତେବେଳେ ଆପଣ କୌଣସି ଏକ ଆଇନ କରୁଛନ୍ତି, ତେବେ ଆପଣମାନେ ଆଶା କରନ୍ତି ଯେ ଆମ ଦ୍ୱାରା ଏହା ପାଳନ କରାଯାଉ । ସେହିପରି ଯେତେବେଳେ ଆମେ କିଛି ନିୟମ ଏବଂ ଆଇନ ପ୍ରସ୍ତୁତ କରିଥାଉ ତେବେ ସରକାର ମଧ୍ୟ ତାହା ପାଳନ କରିବା ଉଚିତ୍ । ଯଦି ସମସ୍ତେ ନିଜର ନିୟମ ଅନୁସରଣ କରିବା ଆରମ୍ଭ କରନ୍ତି, ତେବେ ସବୁକିଛି ଠପ୍ ହୋଇଯିବ।

ସେ ଏହା ମଧ୍ୟ କହିଛନ୍ତି, “ମେମୋରେଣ୍ଡମ ଅଫ ପ୍ରିସିଜର ଅର୍ଥାତ ‘ଏମଓପି’ର ମାମଲା ବର୍ତ୍ତମାନ ସୁଦ୍ଧା ଅଟକି ପଡ଼ିଛି । ଏହା ଉପରେ କୌଣସି କାର୍ଯ୍ୟ ଆଗକୁ ବଢି ନାହିଁ । ଆପଣମାନେ କହୁଛନ୍ତି ଏହା ବାବଦରେ ଆପଣ ଚିଠି ମଧ୍ୟ ପଠାଇଛନ୍ତି । କିନ୍ତୁ ଏହା ସମ୍ଭବ ଯେ କିଛି ପ୍ରସଙ୍ଗରେ ପରିବର୍ତ୍ତନ କରିବା ପାଇଁ ସରକାର ଏହି ଲେଖା ପଢି ଥାଇପାରନ୍ତି । ଏମଓପିରେ ପରିବର୍ତ୍ତନ କିମ୍ବା ଉନ୍ନତି ବିଷୟରେ ଆଲୋଚନା ହେଉଛି । ତେବେ ଏମଓପିର ମାମଲା ୨୦୧୭ରେ ହିଁ ଶେଷ ହୋଇଥିଲା । ସେତେବେଳେ ହିଁ ନିର୍ଦ୍ଧାରିତ ହୋଇଥିଲା ଯେ, ଏମଓପିରେ ପରିବର୍ତ୍ତନ କିମ୍ବା ଉନ୍ନତି ପାଇଁ ସରକାର ମତ ଦେଇ ପାରିବେ । କିନ୍ତୁ କଲେଜିୟମ ଉପରେ ନିର୍ଭର କରେ ସେ ଏହାକୁ ମାନିବେ କି ନାହିଁ ।”

କୋର୍ଟ ଏହା ମଧ୍ୟ କହିଛନ୍ତି ଏହି ମାମଲାକୁ ଏଡ଼ାଇ ଦିଆଯାଇ ପାରିବ । ସରକାର ଏହାର ଉପଯୁକ୍ତ ସମାଧାନ ବାହାର କରିବା ଆବଶ୍ୟକ । ଆଟର୍ଣ୍ଣି ଜେନେରାଲ ଆର ବେଙ୍କେଟରମଣୀ କହିଛନ୍ତି ସରକାରଙ୍କ ସହ ଆଲୋଚନା କରି କୌଣସି ସମାଧାନ ବାହାର କରିବେ । ଏହା ପରେ ଉପରାଷ୍ଟ୍ରପତି ଏବଂ ରାଜ୍ୟସଭାର ସଭାପତି ଜଗଦୀପ ଧନଖଡ଼ ଏବଂ ଆଇନ ମନ୍ତ୍ରୀ କିରେଣ ରିଜିଜୁ ଆଦିଙ୍କ ନାମକୁ ନନେଇ ଜଷ୍ଟିସ ବିକ୍ରମ ନାଥ ଆଟର୍ଣ୍ଣି ଜେନେରାଲଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଉଚ୍ଚ ସାମ୍ବିଧାନିକ ପଦବୀରେ ବସିଥିବା ଲୋକମାନେ ଖୋଲାଖୋଲି ଭାବେ କହୁଛନ୍ତି ଯେ, ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥା ଠିକ ନାହିଁ।

ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ନିଜୁକ୍ତ ହେବାକୁ ଥିବା ବିଚାରପତିଙ୍କ ବରିଷ୍ଠତା କ୍ରମ ନିଦ୍ଧାରିତ ହେବା ଜରୁରୀ । ସମସ୍ତେ କୋର୍ଟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆଇନକୁ ପାଳନ କରିବା ଉଚିତ ଯେପର୍ଯ୍ୟନ୍ତ ବିଧାନସଭା ଦ୍ୱାରା କୌଣସି ଆଇନ ପ୍ରସ୍ତୁତ ନହୋଇଛି।

 

Get real time updates directly on you device, subscribe now.