fbpx
BSKY SKY
BSKY SKY

ଦୁହିଁଙ୍କର ଇଛା ନଥିଲେ ହେବନି ଛାଡ଼ପତ୍ର, ଜଣଙ୍କ ସହମତିରେ କୋର୍ଟ ଧାରା ୧୪୨ର ବ୍ୟବହାର କରିପାରିବେ ନାହିଁ: ସୁପ୍ରିମକୋର୍ଟ

BSKY

ନୂଆଦିଲ୍ଲୀ: ଛାଡ଼ପତ୍ର ମାମଲାକୁ ନେଇ ବଡ଼ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ଦିନ କୋର୍ଟ କହିଛନ୍ତି ଯେ, “ଭାରତରେ ବିବାହ ଏକ ଆକସ୍ମିକ ଘଟଣା ନୁହେଁ । ଆମେ ଏପର୍ଯ୍ୟନ୍ତ ‘ଆଜି ବାହାଘର ଓ କାଲି ଛାଡ଼ପତ୍ର’ର ପାଶ୍ଚାତ୍ୟ ମାନଦଣ୍ଡରେ ପହଞ୍ଚି ନାହୁଁ । ଏଥିପାଇଁ ଗୋଟିଏ ବିବାହରେ ଜଣଙ୍କ ସହମତିରେ ଛାଡ଼ପତ୍ର ପାଇଁ କୋର୍ଟ ଧାରା ୧୪୨ ଅଧିନରେ ନିଜର ଶକ୍ତିର ବ୍ୟବହାର କରିପାରିବେ ନାହିଁ ।

ସୁପ୍ରିମକୋର୍ଟରେ ସ୍ୱାମୀଙ୍କ ବିବାହକୁ ରଦ୍ଦ କରିବାକୁ ଆବେଦନକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମକୋର୍ଟର ଜଷ୍ଟିସ୍ ସଞ୍ଜୟ କେ କୌଲ୍ ଏବଂ ଅଭୟ ଏସ୍ ଓକାଙ୍କ ଏକ ବେଞ୍ଚ ଏହି ଦମ୍ପତିଙ୍କୁ ଏକ ଘରୋଇ ମଧ୍ୟସ୍ଥିଙ୍କ ନିକଟକୁ ପଠାଇ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଏହି ବିବାହ ମାତ୍ର ୪୦ ଦିନ ଚାଲିଥିଲା ଏବଂ ଯୁବ ଦମ୍ପତି ସେମାନଙ୍କ ମତଭେଦ ସମାଧାନ କରିବାକୁ ଚେଷ୍ଟା କରିବା ଉଚିତ୍ । ଅଲଗା ରହୁଥିବା ଏହି ଯୋଡି ଉଚ୍ଚ ଶିକ୍ଷିତ । ସ୍ୱାମୀ ମିଳିତ ଜାତିସଂଘ (ୟୁଏନ) ସହିତ ଜଡିତ ଥିବା ବେଳେ ଏକ ଏନଜିଓ ଚଳାଉଥିଲେ ଏବଂ ପତ୍ନୀଙ୍କୁ କାନାଡାରେ ପିଆରର ଅନୁମତି ରହିଛି ।

ସ୍ୱାମୀ ବିବାହକୁ ରଦ୍ଦ କରିବାକୁ ଅନୁରୋଧ କରିଥିଲେ:-
ଶୁଣାଣି ସମୟରେ ସ୍ୱାମୀ ବାରମ୍ବାର ବିବାହକୁ ରଦ୍ଦ କରିବାକୁ ବେଞ୍ଚରେ ନିବେଦନ କରିଥିଲେ । ଏହି ସମୟରେ ପତ୍ନୀ କହିଥିଲେ ଯେ, ସେ ଏହି ବିବାହ ପାଇଁ କାନାଡାର ସବୁକିଛି ତ୍ୟାଗ କରିଛନ୍ତି । ଅଦାଲତ ଦର୍ଶାଇଥିଲେ ଯେ “ଧାରା ୧୪୨ ଅନୁଯାୟୀ କ୍ଷମତା କେବଳ ସେତେବେଳେ ବ୍ୟବହାର କରାଯାଇପାରିବ ଯେତେବେଳେ ବିବାହର ଉଭୟ ପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ଭାବରେ ଅଲଗା ହୋଇଯିବେ । ସ୍ୱାମୀ ଯୁକ୍ତି କରିଥିଲେ ଯେ, ବିବାହକୁ ବଞ୍ଚାଇବା ପାଇଁ ଉଭୟ ପକ୍ଷରେ କୌଣସି ପ୍ରୟାସ କରାଯାଇ ନାହିଁ । ଏହା ଉପରେ ବେଞ୍ଚ ତାଙ୍କୁ ମନେ ପକାଇ ଦେଇଥିଲେ ଯେ, ମହିଳା ଜଣକ ତାଙ୍କୁ ବିବାହ କରିବା ପାଇଁ କାନାଡାରୁ ଚାକିରି ଛାଡି ଆସିଥିଲେ ।

ପରସ୍ପରକୁ ବୁଝିବା ପାଇଁ ‘୪୦ ଦିନ ପର୍ଯ୍ୟାପ୍ତ ନୁହେଁ ‘
ଜଷ୍ଟିସ୍ କହିଛନ୍ତି ଯେ, ବିବାହର କେବଳ ୪୦ ଦିନ ପରସ୍ପରକୁ ବୁଝିବା ପାଇଁ ଯଥେଷ୍ଟ ନୁହେଁ । ଏକ ସଫଳ ବିବାହ ପାଇଁ ଉଭୟଙ୍କୁ ଚେଷ୍ଟା କରିବାକୁ ପଡିବ । ଏହି ବେଞ୍ଚ ପଞ୍ଜାବର ପୂର୍ବତନ ତଥା ହରିୟାଣା ହାଇକୋର୍ଟର ପ୍ରଧାନ ବିଚାରପତି ଏସ୍ ଜେ ଭାଜିଫଦାରଙ୍କୁ ମଧ୍ୟସ୍ଥି ଭାବରେ ନିଯୁକ୍ତ କରିଛି ଏବଂ ତାଙ୍କୁ ବିବାହ ପରାମର୍ଶଦାତାଙ୍କ ସହାୟତା ଲୋଡ଼ିବାକୁ ସ୍ୱାଧୀନତା ଦେଇଛି । ଏହା ସହ ମଧ୍ୟସ୍ଥିଙ୍କଠାରୁ ତିନି ମାସ ମଧ୍ୟରେ ରିପୋର୍ଟ ମଗାଯାଇଛି ।

Get real time updates directly on you device, subscribe now.