fbpx

ମଦ ନିଶା ଛଡ଼ାଇ ପାରିବ ‘Surgical Chip’! ୫ ମାସରେ ଆସିବ ରେଜଲ୍ଟ, ତା’ପରେ ମଣିଷ ସୁସ୍ଥ

ନୂଆଦିଲ୍ଲୀ: ଆଜିର ସମୟରେ ମଦ୍ୟପାନ ଏକ ଭୟଙ୍କର କୁଅଭ୍ୟାସ । ମଦ୍ୟପାନ କାରଣରୁ ଅନେକ ସୁସ୍ଥ ମଣିଷଙ୍କ ଜୀବନ ଅକାଳରେ ଚାଲିଯାଉଥିବା ବେଳେ ଅନେକ ପରିବାର ଉଜୁଡ଼ି ଯାଉଛି । ମଦ ନିଶାରେ ପଡ଼ିଲେ ମଣିଷର ମାନସିକ ଭାରସାମ୍ୟ ଅନିୟନ୍ତ୍ରିତ ହେବା ସହ ମଣିଷ ବେଳକୁ ବେଳ ଅସାମାଜିକ କାର୍ଯ୍ୟକଳାପକୁ ଆଦରି ନେଇଥାଏ । ତେବେ ଏହି ଭୟଙ୍କର କୁଅଭ୍ୟାସରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ଭିନ୍ନ ଭିନ୍ନ ତରିକା ଆପଣେଇଥାନ୍ତି ।

ତେବେ ନିକଟରେ ଚୀନରୁ ଏକ ବଡ଼ ଖବର ଆସିଛି । ଲିୟୁ ଅଣ୍ଡରୱେଣ୍ଟ ନାମକ ଜଣେ ୩୬ ବର୍ଷୀୟ ବ୍ୟକ୍ତି ମଦନିଶାରୁ ଛାଡ଼ ପାଇବା ପାଇଁ ନିଜ ଶରୀରରେ ଏକ ସର୍ଜିକାଲ ଚିପ୍ ପ୍ରତ୍ୟାରୋପଣ କରିଛନ୍ତି । ଚୀନରେ ଏହା ହେଉଛି ପ୍ରଥମ ଘଟଣା । ଏହି ଅସ୍ତ୍ରୋପଚାର ପାଇଁ ମାତ୍ର ୫ ମିନିଟ୍ ସମୟ ଲାଗିଥିବା ବେଳେ ୫ ମାସ ମଧ୍ୟରେ ମଦନିଶା ଛାଡ଼ିଯିବ ବୋଲି କ୍ଲିନିକାଲ ଟ୍ରାଏଲର ନେତୃତ୍ୱ ନେଇଥିବା ହ୍ୟୁନାନ ବ୍ରେନ ହସ୍ପିଟାଲର ଡାକ୍ତର ହାଓ ୱେଇ କହିଛନ୍ତି । ହାଓ ମିଳିତ ଜାତିସଂଘର ଅନ୍ତର୍ଜାତୀୟ ନାର୍କୋଟିକ୍ସ ନିୟନ୍ତ୍ରଣ ବୋର୍ଡର ପୂର୍ବତନ ସଭାପତି ଅଟନ୍ତି ।

ଐହି ଚିପ୍ ଶରୀରରେ ନାଲଟ୍ରେକ୍ସୋନ ଛାଡ଼ିଥାଏ ଓ ଏହାକୁ ଶରୀର ଗ୍ରହଣ କରିବା ସହିତ ବ୍ରେନରେ ରିସେପ୍ଟର୍ସକୁ ଟାର୍ଗେଟ କରିଥାଏ । ନାଲଟ୍ରେକ୍ସୋନ ହେଉଛି ଏକ ପଦାର୍ଥ ଯାହାକି ନିଶାର ଅଭ୍ୟାସକୁ ରୋକିବା ପାଇଁ ଚିକିତ୍ସା କ୍ଷେତ୍ରରେ ଉପଯୋଗ କରାଯାଇଥାଏ । ଗତ ୧୨ ତାରିଖରେ ଲିୟୁଙ୍କ ଠାରେ ଏହ ଚିପ୍ ଲଗାଯାଇଥିଲା । ସେ ୧୫ ବର୍ଷ ଧରି ମଦ ନିଶାରେ ପୀଡ଼ିତ ରହିଥିଲେ । ଏହି ଚିପ୍ ଆସନ୍ତା ୫ ମାସ ମଧ୍ୟରେ ମଦ ନିଶା ଦୂର କରିପାରିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ମଦ ସମ୍ବନ୍ଧୀୟ ମୃତ୍ୟୁ କ୍ଷେତ୍ରରେ ଚୀନର ସ୍ଥାନ ବିଶ୍ୱରେ ସବୁଠାରୁ ଉପରେ ରହିଥିବା ୨୦୧୮ର ଏକ ରିପୋର୍ଟରୁ ଜଣାପଡ଼ିଥିଲା ।

Get real time updates directly on you device, subscribe now.