ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ଭଗ୍ନାବଶେଷ ତଳେ ୩ ଟମାଟୋରେ ୩0 ଘଣ୍ଟା ବିତାଇଲେ ପରିବାର
ନିର୍ମାଣଧୀନ ପାଞ୍ଚ ମହଲା ଛାତ ଭୁଷୁଡ଼ି ପଡ଼ିବା ଘଟଣା। ୩୦ ଘଣ୍ଟା ଧରି ଭଙ୍ଗା କୋଠା ତଳେ ଫସି ରହିଥିଲେ ପୁରା ପରିବାର। ତାହା ପୁଣି ମାତ୍ର ୩ଟି ଟମାଟୋ ଖାଇ। ଯେଉଁ ଦୁର୍ଘଟଣାରେ ୨ ନାବାଳକଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିଲା।
ନୂଆଦିଲ୍ଲୀ: ଦିଲ୍ଲୀର ଲୋମଟାଙ୍କୁରା କାହାଣୀ। ନିର୍ମାଣଧୀନ ପାଞ୍ଚ ମହଲା ଛାତ ଭୁଷୁଡ଼ି ପଡ଼ିବା ଘଟଣା। ୩୦ ଘଣ୍ଟା ଧରି ଭଙ୍ଗା କୋଠା ତଳେ ଫସି ରହିଥିଲେ ପୁରା ପରିବାର। ତାହା ପୁଣି ମାତ୍ର ୩ଟି ଟମାଟୋ ଖାଇ। ଯେଉଁ ଦୁର୍ଘଟଣାରେ ୨ ନାବାଳକଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିଲା।
କଥାରେ ଅଛି ପରା ଜୀବନ ଗଲା ବେଳେ କୁଟାଖିଅ ଟିଏ ବି ସାହାରା ବନିଥାଏ। ଆଉ ଯେତେବେଳେ ଏହି ପରିବାର ନିଜର ଛୋଟ ଛୋଟ ପିଲାଙ୍କୁ ଧରି ଭଙ୍ଗା କୋଠା ତଳେ ମରଣ ସହ ସଂଘର୍ଷ କରୁଥିଲେ।
ସେତେବେଳେ ଆଉ କ’ଣ ବା କରିପାରିଥାନ୍ତେ। ଯାହା ପାଖରେ ଥିଲା ସେହି ୩ଟି ଟମାଟୋ ଖାଇ ଚାରି ପ୍ରାଣୀ ବଞ୍ଚି ରହିବା ପାଇଁ ପ୍ରୟାସ କରିଥିଲେ। ଆଉ ୩୦ ଘଣ୍ଟା ପରେ ତାଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରାଯିବା ପରେ ସେହି ସମୟର ଲୋମଟାଙ୍କୁରା କାହାଣୀ ବଖାଣିଛନ୍ତି ପରିବାରର ମୁଖିଆ ରାଜେଶ।
ସେଦିନର ସଂଘର୍ଷର କାହାଣୀ: ହଁ ଆଜ୍ଞା ଗତ ୨୭ ତାରିଖରେ ଦିଲ୍ଲୀର ବୁରାରି ଅଞ୍ଚଳରେ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିଥିଲା। ଚାହୁଁଚାହୁଁ ଅନେକ ଲୋକ ଏହି କୋଠା ତଳେ ଚାପି ହୋଇଗଲେ। ଏହି ଦୁର୍ଘଟଣାରେ ୫ଜଣଙ୍କ ଜୀବନ ମଧ୍ୟ ଚାଲିଗଲା।
ଦିନ ରାତି ଏକ କରି ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଯେଉଁଥିରେ ୩୦ ଘଣ୍ଟା ପରେ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କୁ ଜୀବିତ ଉଦ୍ଧାର କରାଯାଇଛି।
ପରେ ସେମାନଙ୍କୁ ଅଚେତ୍ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ସେଦିନର କାହାଣୀ ବଖାଣିଛନ୍ତି ନିଜେ ପରିବାରର ମୁଖିଆ ରାଜେଶ।
କ’ଣ କହିଲେ ରାଜେଶ: ତେବେ ରାଜେଶଙ୍କ କହିବା କଥା ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ସେ ତାଙ୍କ ପରିବାର ପାଇଁ ଖାଦ୍ୟ ରାନ୍ଧିବାକୁ ଯାଉଥିଲେ, ସେତେବେଳେ କୋଠାଟି ଭୁଶୁଡ଼ି ପଡ଼ିଲା।
ଭଗ୍ନାବଶେଷ ତଳୁ ପୁରା ପରିବାର ବାହାରିବାକୁ ଚେଷ୍ଟା କଲେ। କିନ୍ତୁ ସେମାନେ ଏଥିରେ ସଫଳ ହୋଇପାରିଲେ ନାହିଁ। ରାଜେଶଙ୍କ କହିବା କଥା, କୋଠାର ଛାତର ସ୍ଲାବ୍ ଏଲପିଜି ସିଲିଣ୍ଡର ଉପରେ ପଡ଼ିଯାଇଥିଲା।
ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ସମୟରେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ। କିନ୍ତୁ ତାଙ୍କ ସ୍ୱର ବାହାରକୁ ପହଞ୍ଚି ପାରିନଥିଲା। ଭୋକ ଏବଂ ଶୋଷ ଯୋଗୁଁ ସେମାନଙ୍କ ଅବସ୍ଥା ଖରାପ ହୋଇଯାଇଥିଲା।
ସେଠାରେ ଯେଉଁ ଅଳ୍ପ ଫାଙ୍କ ଥିଲା ସେଠାରେ ଚାରିଜଣ ଫସି ଯାଇଥିଲେ ଏବଂ ଭଗ୍ନାବଶେଷ ତଳେ ଚାପି ହେବାରୁ ରକ୍ଷା ପାଇଯାଇଥିଲେ। ଯେହେତୁ ତାଙ୍କର ଦୁଇଟି ଛୋଟ ଛୋଟ ପୁଅ ଜଣେ ୩ ବର୍ଷର ଓ ଆଉ ଜଣେ ୬ ବର୍ଷର ଥିଲେ।
୩ ଟମାଟୋ ୩୦ ଘଣ୍ଟା: ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ପାଖରେ ଥିବା ମାତ୍ର ତିନୋଟି ଟମାଟୋକୁ ଖାଇ ୩୦ ଘଣ୍ଟା ସଂଘର୍ଷ କରିଥିଲେ। ଭିତରେ ଅମ୍ଳଜାନର ଅଭାବ ଥିଲା। ସେମାନେ ଶ୍ୱାସରୁଦ୍ଧ ହୋଇ ଯାଉଥିଲେ।।
ଅଳିଆ ସଫା ପାଇଁ JCB ଏବଂ କ୍ରେନ୍ ଚାଲିବାର ଏକ ଶବ୍ଦ ଶୁଭୁଥିଲା। ମାତ୍ର ଏହା ଏକ ଚମତ୍କାର ବୋଲି ସେ କହିଛନ୍ତି। ଭଗବାନଙ୍କ ଦୟାରୁ ସେମାନେ ବଞ୍ଚିଗଲେ। ଟମାଟୋ ସେମାନଙ୍କ ଜୀବନ ବଞ୍ଚାଇ ଦେଇଛି ବୋଲି ସେ କହିଛନ୍ତି।