fbpx

IPL-2023 ସିଜନରେ ପ୍ରଥମ ସେଞ୍ଚୁରୀ ହାସଲ କଲେ ସୂର୍ଯ୍ୟକୁମାର: ୨୦୦ରୁ ଅଧିକ ଷ୍ଟ୍ରାଇକ ରେଟରେ ଶତକ

ନୂଆଦିଲ୍ଲୀ: ଗୁଜୁରାଟ ବିପକ୍ଷ ମ୍ୟାଚରେ ଆଜି ଦମଦାର ଇନିଂସ ଖେଳିଛନ୍ତି ଟି-୨୦ର ସୁପରଷ୍ଟାର ସୂର୍ଯ୍ୟକୁମାର ଯାଦବ । ମାତ୍ର ୪୯ଟି ବଲରୁ ୨୧୦ରୁ ଅଧିକ ଷ୍ଟ୍ରାଇକ ରେଟରେ ସେ IPL କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି । ଏହି ଇନିଂସରେ ୧୧ଟି ଚୌକା ସହ ୬ଟି ବିଶାଳ ଛକା ମାରିଛନ୍ତି ସୂର୍ଯ୍ୟକୁମାର । ତେବେ ସୂର୍ଯ୍ୟକୁମାରଙ୍କ ଏହି ଶତକ ବଳରେ ମୁମ୍ବାଇ ୨୧୮ ରନର ଏକ ବିଶାଳ ସ୍କୋରରେ ପହଞ୍ଚି ପାରିଛି ।

ଚଳିତ ଆଇପିଏଲ ସିଜନର ପ୍ରଥମ କିଛିଟା ମ୍ୟାଚରେ ଫ୍ଲପ ହେଉଥିବା ସୂର୍ଯ୍ୟକୁମାର ପୁଣିଥରେ ନିଜ ଲୟକୁ ଫେରି ସାରିଛନ୍ତି । ଟି-୨୦ ଇଣ୍ଟରନେସନାଲର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି ସେ ପୁଣିଥରେ ନିଜକୁ ପ୍ରମାଣିତ କରିଛନ୍ତି । ଗୁଜୁରାଟ ବିପକ୍ଷ ଆଜିର ମ୍ୟାଚରେ ବିସ୍ଫୋରକ ଶତକ ଅର୍ଜନ କରି ସେ ଟାଇଟନ୍ସକୁ ଝଟକା ଦେଇଛନ୍ତି । ମାତ୍ର ୪୯ଟି ବଲରେ ସେ ଆଇପିଏଲ ଇତିହାସରେ ନିଜର ପ୍ରଥମ ଶତକ ଅର୍ଜନ କରିଛନ୍ତି । ୧୧ଟି ଚୌକା ଏବଂ ୬ଟି ଛକା ସହ ୨୧୦.୨ ଷ୍ଟ୍ରାଇକ ରେଟ ସହ ଶତକ ହାସଲ କରିଛନ୍ତି ସୂର୍ଯ୍ୟକୁମାର । ସୂର୍ଯ୍ୟଙ୍କ ଦମଦାର ବ୍ୟାଟିଂ ଆଗରେ ଗୁଜୁରାଟର ସମସ୍ତ ବୋଲର ଫିକା ପଡିଥିଲେ । ଫାଷ୍ଟ ବୋଲର ମହମ୍ମଦ ଶାମୀ ଏବଂ ଅଲଜାରୀ ଜୋସେଫ ଉଭୟ ଖେଳାଳି ଆଜି ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂର ଶିକାର ପାଲଟିଛନ୍ତି ।

ତେବେ ସୂର୍ଯ୍ୟଙ୍କ ବ୍ୟତୀତ ବିଷ୍ଣୁ ବିନୋଦ ମଧ୍ୟ ଏକ ଛୋଟ ଏବଂ ମହତ୍ତ୍ୱପୂର୍ଣ୍ଣ ପାଳି ଖେଳିଥିଲେ । ଇନିଂସ ଆରମ୍ଭରୁ ରାଶିଦ ଖାନଙ୍କ ଖତରନାକ ବୋଲିଂ କରି ମୁମ୍ବାଇକୁ ଦ୍ୱନ୍ଦ୍ୱରେ ପକାଇ ଦେଇଥିଲେ । ଏହାପରେ ସୂର୍ଯ୍ୟକୁମାରଙ୍କ ଶତକ ଦଳକୁ କମବ୍ୟାକ କରାଇଛି । ଯାହା ଫଳରେ ଗୁଜୁରାଟ ଆଗରେ ୨୧୯ ରନର ଏକ ବିରାଟ ଲକ୍ଷ୍ୟ ଦେଇଛି ରୋହିତ ସେନା ।

Get real time updates directly on you device, subscribe now.