fbpx

ସ୍ୱିଡେନ ବନ୍ଦ କଲା ପାକିସ୍ତାନରେ ନିଜର ଦୂତାବାସ, ଜାଣନ୍ତୁ ଏହା ପଛରେ ଥିବା କାରଣ

ନୂଆଦିଲ୍ଲୀ: ୟୁରୋପୀୟ ଦେଶ ସ୍ୱିଡେନ ନିଜର ଦୂତାବାସକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇଛି । ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନର ବର୍ତ୍ତମାନ ପରିସ୍ଥିତିକୁ ଦେଖି ସୁରକ୍ଷା କାରଣରୁ ଦୂତାବାସକୁ ବନ୍ଦ କରାଯାଇଛି । ବୟାନରେ ଇସଲାମାବାଦ ସ୍ଥିତ ସ୍ୱିଡେନର ଦୂତାବାସ କହିଛନ୍ତି ଯେ, କର୍ମଚାରୀଙ୍କ ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା ଅଟେ ।

ସ୍ୱିଡେନର ଦୂତାବାସ ବନ୍ଦ ହେବାଦ୍ୱାରା ପ୍ରବାସୀ ପାକିସ୍ତାନୀ ଏବଂ ଛାତ୍ର ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଯେଉଁ ଛାତ୍ରମାନେ ସ୍ୱିଡେନରେ ଅଗଷ୍ଟ ଶେଷ ସପ୍ତାହରୁ ଆରମ୍ଭ ହୋଇଥିବା ନୂତନ ଏକାଡେମିକ ଅଧିବେଶନ ପାଇଁ ନାମ ଲେଖାଇଛନ୍ତି, ସେମାନେ ଦେୟ ଦେବାକୁ ଅସମର୍ଥ ଅଟନ୍ତି । ସୂଚନା ମୂତାବକ, ଇସଲାମାବାଦ ସ୍ଥିତ ଦୂତାବାସ ବନ୍ଦ ହେବା କାରଣରୁ ବିଦେଶରେ ରହୁଥିବା ପାକିସ୍ତାନୀ ନିଜ ପରିବାର ଲୋକଙ୍କ ସହ ସଂପର୍କ କରିପାରୁନାହାନ୍ତି । ସାଧାରଣତଃ ସ୍ୱିଡେନ ଭିଜା ଜାରି କରିବା ପାଇଁ ୪ ରୁ ୬ ମାସ ସମୟ ଲାଗିଯିବ ।

ତେବେ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟର ଅଧିକାରୀମାନେ ଏହି ପ୍ରସଙ୍ଗକୁ ନେଇ ସ୍ୱିଡେନ ଦୂତାବାସ ସହ ସଂପର୍କ କରିଛନ୍ତି । ପ୍ରବାସୀ ପାକିସ୍ତାନୀ ଏବଂ ଛାତ୍ର ନିଜର ସମସ୍ୟାର ସୂଚନା ବିଦେଶ ମନ୍ତ୍ରଣାଳୟର ସଚ୍ଚିବ ଅସଦ ମଜୀଦ ଖାନଙ୍କୁ ଦିଆଯାଇଛି । ଦୂତାବାସ ଖୋଲିବାକୁ ନେଇ କୂଟନୈତିକ ସୂତ୍ର କହିଛି ଯେ, ବର୍ତ୍ତମାନ ଦୂତାବାସ ଖୋଲିବ କି ନାହିଁ ତାହା ସେମାନେ କହିପାରିବେ ନାହିଁ ।

Get real time updates directly on you device, subscribe now.