fbpx
BSKY SKY
BSKY SKY

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା BJP

BSKY

ନୂଆଦିଲ୍ଲୀ: ଆସନ୍ତା ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ୧୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ତେବେ ଏହା ମଧ୍ୟରେ ବିଜେଡି ଓ କଂଗ୍ରେସ ସେମାନଙ୍କର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି । ବିଜେଡିରୁ ଦୀପାଳି ଦାସ ଓ କଂଗ୍ରେସରୁ ତରୁଣ ପାଣ୍ଡେ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପକ୍ଷରେ ଟଙ୍କଧର ତ୍ରିପାଠୀଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି ପୂର୍ବରୁ ଦଳୀୟ ବିଧାୟକ ସୁବାଷ ପାଣିଗ୍ରାହୀ କହିଥିଲେ ।

ତେବେ ଏହା ମଧ୍ୟରେ ଆଜି ବିଜେପି ବିଧିବଦ୍ଧ ଭାବେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦୀପାଳୀ ଓ ତରୁଣଙ୍କୁ କଡ଼ା ଟକ୍କର ଦେବା ପାଇଁ ମୈଦାନକୁ ଓହ୍ଲାଇବେ ଟଙ୍କଧର । ଏନେଇ ଆଜି କେନ୍ଦ୍ରୀୟ ବିଜେପି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଓଡ଼ିଶାର ଝାରସୁଗୁଡ଼ା ବିଧାନସଭା ଓ ପଞ୍ଜାବର ଜଳନ୍ଧର ଲୋକସଭା ସିଟର ଉପନିର୍ବାଚନ ପାଇଁ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଜଳନ୍ଧର ଆସନ ପାଇଁ ସର୍ଦାର ଇନ୍ଦର ଇକବଲ ସିଂହ ଅଟୱାଲ ପ୍ରାର୍ଥୀ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଧାମନଗର ନିର୍ବାଚନରେ ବିରୋଧୀ ବିଜେପି ଶାସକ ଦଳକୁ ମାତ ଦେଇଥିବାରୁ ଅତୀତର ଭୁଲରୁ ଅନେକ କିଛି ଶିଖିଛି ବିଜେଡି । ସେହିପରି ବିଜେପି ମଧ୍ୟ ଶାସକ ଦଳ ବିରୋଧରେ ନିଜର କାୟା ବିସ୍ତାର କରିବା ପ୍ରୟାସରେ ରହିଛି । ଏପରିକି ନିକଟରେ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମନମୋହନ ସିଂହ ମଧ୍ୟ ଆସନ୍ତା ବିଧାନସଭା ନିର୍ବାଚନରେ ସରକାର ଗଠନ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନର ନାମାଙ୍କନ ପାଇଁ ଆସନ୍ତା ୨୦ ଅନ୍ତିମ ତାରିଖ ରହିଥିବା ବେଳେ ଆସନ୍ତା ୨୪ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ।

Get real time updates directly on you device, subscribe now.