fbpx

T-20 WC; କାନାଡ଼ା ବିପକ୍ଷରେ ରୋହିତଙ୍କ ନୂଆ ରଣନୀତି: Playing-11ରେ କାହାକୁ କରିବେ ସାମିଲ?

AAKASH

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଭଲ ଲୟରେ ରହିଛି । ପ୍ରଥମ ୩ଟି ଯାକ ମ୍ୟାଚରେ ବିଜୟ ହାସଲ କରି ସୁପର-୮କୁ ଏଣ୍ଟ୍ରି କରିଛି ରୋହିତ ସେନା । ତେବେ ଆଜି କାନାଡ଼ା ବିପକ୍ଷରେ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଏହି ମ୍ୟାଚ ପାଇଁ ଅଧିନାୟକ ରୋହିତ କିଛି ବଡ଼ ପରିବର୍ତ୍ତନ କରିପାରନ୍ତି ବୋଲି ଆଶା କରାଯାଉଛି । ଶେଷ ଲିଗ୍ ମ୍ୟାଚରେ ସୁଯୋଗ ପାଇ ନଥିବା କିଛି ଖେଳାଳିଙ୍କୁ ଦଳରେ ସୁଯୋଗ ଦେଇପାରନ୍ତି ରୋହିତ ଶର୍ମା । ତେବେ ଆଜିର ମ୍ୟାଚ ରେଜଲ୍ଟ ପଏଣ୍ଟ ଟେବୁଲରେ କୌଣସି ଫରକ ପକାଇବ ନାହିଁ । ତେଣୁ ଆଜିର ମ୍ୟାଚରେ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେଇପାରନ୍ତି ଟିମ ମ୍ୟାନେଜମେଣ୍ଟ ।

କାନାଡ଼ା ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆର ବ୍ୟାଟିଂ ଅର୍ଡରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳି ନପାରେ । ତେବେ ବୋଲିଂ ୟୁନିଟରେ କିଛି ଖେଳାଳିଙ୍କୁ ବିଶ୍ରାମ ଦେବା ସହ ଅନ୍ୟ ଖେଳାଳିଙ୍କୁ ଅଭ୍ୟାସ ପାଇଁ ସୁଯୋଗ ଦିଆ ଯାଇପାରେ । ଜଶପ୍ରୀତ ବୁମରାହଙ୍କୁ ଏହି ମ୍ୟାଚରେ ବିଶ୍ରମ ଦେଇପାରନ୍ତି ରୋହିତ । ଏହାବ୍ୟତୀତ ଅକ୍ସର ପଟେଲଙ୍କ ସ୍ଥାନରେ କୁଳଦୀପ ଯାଦବ ଦଳରେ ସୁଯୋଗ ପାଇପାରନ୍ତି । ସେହିପରି ଯଦି ଏହି ମ୍ୟାଚରେ ବୁମରାହ ଦଳରୁ ବାଦ୍ ପଡ଼ନ୍ତି, ତେବେ ତାଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିପାରେ । ଏଭଳି ସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ତୃତୀୟ ଫାଷ୍ଟ ବୋଲରର ଭୂମିକା ତୁଲାଇପାରନ୍ତି । ଦୀର୍ଘ ଦିନ ପରେ ଟି-୨୦ କ୍ରିକେଟରେ ପୁଣିଥରେ କୁଳ-ଚା ଯୋଡ଼ି ଦେଖିପାରନ୍ତି ଭାରତୀୟ ଫ୍ୟାନ୍ସ । କିନ୍ତୁ ଏହି ବିଜୟଧାରାକୁ ବଜାୟ ରଖିବା ପାଇଁ ରୋହିତ ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ କରିବା ସମ୍ଭାବନା ମଧ୍ୟ କମ୍ ରହିଛି ।

କାନାଡ଼ା ବିପକ୍ଷ ମ୍ୟାଚରେ ଦଳର ଓପନିଙ୍ଗ ଭାର ପୁଣି ଥରେ ଅଧିନାୟକ ରୋହିତ ଏବଂ ବିରାଟ କୋହଲିଙ୍କ ଉପରେ ରହିବ । ଏହାପରେ ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ ମଧ୍ୟକ୍ରମରେ ବଡ଼ ସ୍କୋର କରିବା ଲକ୍ଷ୍ୟରେ ରହିବେ । ସେହିପରି ଇନିଂସରେ ଫିନିଶର ଭୂମିକାରେ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଏବଂ ଅକ୍ସର ପଟେଲଙ୍କ ଉପରେ ଭରସା କରିବ ଟିମ ଇଣ୍ଡିଆ । ବୋଲିଂରେ ଜଶପ୍ରୀତ ବୁମରାହ, ଅର୍ଶଦୀପ ସିଂହ ଏବଂ ମହମ୍ମଦ ସିରାଜ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି ।

ଟିମ ଇଣ୍ଡିଆର ପ୍ଲେଇଙ୍ଗ-୧୧: ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ/କୁଳଦୀପ ଯାଦବ, ଜଶପ୍ରୀତ ବୁମରାହ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ ।

Get real time updates directly on you device, subscribe now.