fbpx

ଟି-୨୦ ବିଶ୍ୱକପ: ୨୪ରେ ଇଣ୍ଡିଆ-ପାକ୍ ଫାଇଟ୍, ମ୍ୟାଚ୍‌କୁ ନେଇ ଚାଲିଛି ଚର୍ଚ୍ଚା

ଦୁବାଇ: ଆସନ୍ତା ୨୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ କ୍ରିକେଟ ମ୍ୟାଚକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । କାରଣ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସବୁବେଳେ ଚର୍ଚ୍ଚା ହେବା ସହିତ ଦୁଇଦେଶ ଖେଳାଳି ଓ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ସାଧାରଣ କଥା । ମାତ୍ର ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି କିଛି ଦିନ ତଳେ କହିଥିଲେ ଯେ ଅନ୍ୟ ମ୍ୟାଚ ପରି ଆମେ ପାକିସ୍ତାନ ବିପକ୍ଷ ମ୍ୟାଚକୁ ଦେଖୁଛୁ । ତେଣୁ ଏହି ମ୍ୟାଚକୁ ନେଇ କୌଣସି ଚାପ ଅନୁଭବ କରିବା ପ୍ରଶ୍ନ ଉଠୁନି । ତେବେ ପାକିସ୍ତାନ ଦଳ ଅଧିନାୟକ ବାବର ଆଜାମ କହିଥିଲେ ଯେ ୟୁନାଇଟେଡ ଆରବ ଏମିରେଟ୍ସ ହେଉଛି ଆମର ଘରୋଇ ଗ୍ରାଉଣ୍ଡ । କାରଣ ଗତ ୧୦ ବର୍ଷରୁ ଉଦ୍ଧ୍ୱର୍ ଦିନ ଧରି ଆମେ ଏଠାରେ ବିଭିନ୍ନ ବିଦେଶୀ ଦଳ ବିରୋଧରେ ଦ୍ୱିାକ୍ଷିକ ଘରୋଇ ସିରିଜ ଖେଳି ଆସୁଛୁ । ତେଣୁ ଏହି ମଉକାରେ ଆମେ ନିଶ୍ଚିତ ଭାରତକୁ ପରାସ୍ତ କରିବୁ ।

ସୂଚନା ଯୋଗ୍ୟ ଯେ ଇଂଲଣ୍ଡରେ ଅନୁଷ୍ଠିତ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତକୁ ଶେଷ ଥର ପାଇଁ ପରାସ୍ତ କରିଥିଲା ପାକିସ୍ତାନ । ମାତ୍ର ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ଦିନିକିଆ ବିଶ୍ୱକପରେ ପାକିସ୍ତାନ ବିରୋଧରେ ବିଜୟୀ ହୋଇଥିଲା ଭାରତ । ତେବେ ଦୁଇ ବର୍ଷ ପରେ ପୁଣି ଦୁଇ ଦେଶ କୌଣସି ଏକ ଆଇସିସି ଟୁର୍ଣ୍ଣାମେଣ୍ଟରେ ପରସ୍ପରକୁ ଭେଟିବେ । ଅନ୍ୟ ପକ୍ଷରେ ପାକିସ୍ତାନ ଆଜି ପର୍ଯ୍ୟନ୍ତ ଦିନିକିଆ କିମ୍ବା ଟି-୨୦ ବିଶ୍ୱକପର କୌଣସି ମ୍ୟାଚରେ ଭାରତକୁ ପରାସ୍ତ କରି ପାରି ନାହିଁ । କେବଳ ପୃଥକ ଚାମ୍ପିଅନ୍ସ ଟ୍ରଫିରେ ଭାରତକୁ ତିନିଥର ପରାସ୍ତ କରିଛି ପାକିସ୍ତାନ । ତେବେ ଦିନିକିଆ ବିଶ୍ୱକପରେ ବିଫଳତା ସାଙ୍ଗକୁ ଟି-୨୦ ବିଶ୍ୱକପରେ ଭାରତ ବିରୋଧରେ ଖେଳିଥିବା ୫ ମ୍ୟାଚରେ ମଧ୍ୟ ଭାରତକୁ କେବେ ପାକିସ୍ତାନ ହରାଇ ପାରି ନାହିଁ । ତେଣୁ ବହୁ ଦିନର ସେହି ପୁରୂଣା ରେକର୍ଡ ଭାଙ୍ଗିବା ପାଇଁ ପାକିସ୍ତାନ ଲକ୍ଷ୍ୟ ରଖିଥିବା ବେଳେ ଭାରତ ବିଜୟ ରେକର୍ଡ ଅବ୍ୟାହତ ରଖିବାକୁ ଚାହୁଁଛି । ତେବେ ଗତ ୧୦ ବର୍ଷର ରେକର୍ଡ ଦେଖିଲେ ଜଣା ଯାଏ ଯେ ପାକିସ୍ତାନ ତୁଳନାରେ ଭାରତର ଟି-୨୦ ବିଜୟ ରେକର୍ଡ ଭଲ ରହିଛି ।

ପାକିସ୍ତାନ ଗତ ୧୦ ବର୍ଷରେ ବିଭିନ୍ନ ଦଳ ବିରୋଧରେ ୧୨୯ ଟି- ୨୦ ମ୍ୟାଚ ଖେଳି ୭୭ ବିଜୟ ହାସଲ କରିଥିବା ବେଳେ ୪୫ ମ୍ୟାଚରେ ହାରିଛି । ଅବଶିଷ୍ଟ ୫ ମ୍ୟାଚର ଫଳାଫଳ ଫଇସଲା ହୋଇ ପାରି ନ ଥିଲା ।ପାକିସ୍ତାନର ବିଜୟ ହାର ହେଉଛି ୫୯.୭ ପ୍ରତିଶତ । ସେହିରି ଭାରତ ଗତ ୧୦ ବର୍ଷରେ ମୋଟ ୧୧୫ ଟି- ୨୦ ମ୍ୟାଚ ଖେଳି ୭୩ ବିଜୟ ହାସଲ ସହିତ ୩୭ ମ୍ୟାଚ ହାରିଛି । ଏଥିରୁ ଦୁଇ ମ୍ୟାଚ ଟାଇ ରହିଥିବା ବେଳେତିନି ମ୍ୟାଚର ଫଳାଫଳ ଫଇସଲା ହୋଇ ପାରି ନ ଥିଲା । ତେବେ ପୂର୍ବ ହାରଜିତ୍‌ ରେକର୍ଡ ସହିତ ଚଳିତ ଟି-୨୦ ବିଶ୍ୱକପ ମୁକାବିଲାର କୌଣସି ସମ୍ପର୍କ ନାହିଁ । କାରଣ ସେତେବେଳାର ପରସ୍ଥିତି ଓ ବର୍ତ୍ତମାନର ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା । ତେବେ ଆସନ୍ତା ୨୪ ତାରିଖ ବିଶ୍ୱକପ ଲଢ଼େଇରେ କିଏ ଜିତିବ ଓ ହାରିବ ତାହା ଅପେକ୍ଷାର ବିଷୟ । ପାକିସ୍ତାନ ଦଳର ବ୍ୟାଟିଂ ପରାମର୍ଶଦାତା ମାଥ୍ୟୁ ହେଡେନ କହିଛନ୍ତି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଡଗ୍‌ ଫାଇଟ୍‌ ନିଶ୍ଚିତ ଉପଭୋଗ୍ୟ ଓ ସଂଘର୍ଷ ପୂର୍ଣ୍ଣ ହେବ । ତେବେ ଏହି ମ୍ୟାଚରେ ଦୁଇ ଅଧିନାୟକଙ୍କ ନେତୃତ୍ୱ ମୂଲ୍ୟବାନ ସାବ୍ୟସ୍ତ ହେବ ।

Get real time updates directly on you device, subscribe now.