fbpx

ଟି-୨୦ ବିଶ୍ୱ କପ୍: ଆଜି ଟିମ୍ ଇଣ୍ଡିଆର ବାୟୋ ବବଲରେ ପ୍ରବେଶ କରିବେ ରୋହିତ ଶର୍ମାଙ୍କ ସମେତ ୬ ଖେଳାଳି

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପକୁ ଆଉ କେଇଟା ଦିନ ବାକି ରହିଛି । ୟୁଏଇ ଓ ଓମାନରେ ଦଳଗୁଡିକର ଆଗମନ ମଧ୍ୟ ଆରମ୍ଭ ହୋଇ ଯାଇଛି । ଏହି କ୍ରମରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ଆଜି ଦୁବାଇରେ ଭାରତୀୟ କ୍ରିକେଟ୍ ଦଳର ହୋଟେଲରେ ପ୍ରବେଶ କରିବେ । ଟି-୨୦ ବିଶ୍ୱ କପ୍ ପାଇଁ ଚୟନ ୧୫ ଜଣିଆ ଦଳରେ ମୁମ୍ବାଇର ଛଅ ଖେଳାଳି ଅଛନ୍ତି । ଏଥିରେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରାହୁଲ ଚହର ଓ ଯଶପ୍ରୀତ ବୁମରା ସାମିଲ୍ । ହେଲେ ସଭିଙ୍କ ନଜର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ରହିଛି । କାରଣ ତାଙ୍କର ଫିଟନେସ୍ ଭାରତୀୟ ଦଳ ପ୍ରବନ୍ଧକଙ୍କ ସମସ୍ୟା ବଢାଇ ଦେଇଛି । ଭାରତ ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷ ମ୍ୟାଚରୁ ନିଜର ବିଶ୍ୱ କପ ଅଭିଯାନ ଆରମ୍ଭ କରିବ । ତେଣୁ ଏହି ମୁକାବିଲା ପୂର୍ବରୁ ଦଳ ପ୍ରବନ୍ଧକ ହାର୍ଦ୍ଦିକଙ୍କ ଫିଟନେସ୍ ଉପରେ ସମୀକ୍ଷା କରିବାକୁ ଚାହିଁବେ ।

ଭାରତୀୟ ଦଳ ପ୍ରବନ୍ଧକ ଅନୁଯାୟୀ, ମୁମ୍ବାଇ ଇଣ୍ଡିଆନ୍ସର ଛଅ ଖେଳାଳି ମଙ୍ଗଳବାର ପାମ ହୋଟେଲରେ ପ୍ରବେଶ କରିବେ । ରୋହିତ ଏବଂ ଅନ୍ୟ ଖେଳାଳି ଆଜି ଜୈବ ନିରାପତ୍ତା ବଳୟ(ବାୟୋ ବବଲ)ରେ ପ୍ରବେଶ କରିବେ । ସଭିଙ୍କ ନଜର ଏହା ଉପରେ ରହିବ ଯେ, ହାର୍ଦ୍ଦିକ ପାଣ୍ଡ୍ୟା କେମିତି ଆଗକୁ ବଢିବେ । କାରଣ ଟି-୨୦ ବିଶ୍ୱ କପରେ ସେ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ମଧ୍ୟରୁ ଜଣେ । ସେ ନିଜ ଦମରେ ଦଳକୁ ମ୍ୟାଚ୍ ଜିତାଇବାର କ୍ଷମତା ରଖନ୍ତି । ଏଥିପାଇଁ ହାର୍ଦ୍ଦିକଙ୍କ ଉପରେ ବିଶେଷ ନଜର ରହିବ ।

ପାକିସ୍ତାନ ବିରୋଧରେ ହାର୍ଦ୍ଦିକଙ୍କ ରେକର୍ଡ ଦମଦାର

ରୋଚକ କଥା ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷ ବଡ ମୁକାବିଲାରେ ଭଲ ପ୍ରଦର୍ଶନ କରି ଆସିଛନ୍ତି । ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ବିରୋଧରେ ୪୩ ବଲରୁ ପାଣ୍ଡ୍ୟା ୭୬ ରନର ଇନିଂସ ଖେଳିଥିଲେ । ଏହା ବ୍ୟତୀତ ୨୦୧୯ ଦିନିକିଆ ବିଶ୍ୱ କପରେ ପାକିସ୍ତାନ ବିରୋଧରେ ୧୯ ବଲରୁ ୨୬ ରନ କରିବା ସହିତ ଦୁଇଟି ୱିକେଟ୍ ନେଇଥିଲେ ।

ହାର୍ଦ୍ଦିକ ହେଉଛନ୍ତି ଏକ୍ସ ଫ୍ୟାକ୍ଟର

ଦଳୀୟ ସୂତ୍ର ଅନୁଯାୟୀ, ହୋଇପାରେ ହାର୍ଦ୍ଦିକ ବୋଲିଂ ନକରିବା ଦଳ ପାଇଁ ଚିନ୍ତାର ବିଷୟ, ମାତ୍ର ସେ ଜଣେ ଏକ୍ସ ଫ୍ୟାକ୍ଟର ଖେଳାଳି । ସେ ବ୍ୟାଟରେ ମ୍ୟାଚର ରୂପରେଖ ବଦଳାଇବାରେ ମାହିର । ଗତ ଟି-୨୦ ବିଶ୍ୱ କପରେ ବାଂଲାଦେଶ ବିପକ୍ଷ ମୁକାବିଲା ସମସ୍ତେ ଦେଖିଛନ୍ତି । ବଡ ଟୁର୍ଣ୍ଣାମେଣ୍ଟରେ ସମସ୍ତେ ଏମିତି ଖେଳାଳି ଚାହାନ୍ତି, ଯିଏ ଏକାକୀ ନିଜ ଦମରେ ମ୍ୟାଚ୍ ଜିତାଇ ପାରିବ ।

Get real time updates directly on you device, subscribe now.