fbpx

ଏଥର ଟି-୨୦ ବିଶ୍ୱ କପରେ ନଜର ଆସିବେନି ସମସ୍ତ ଚାମ୍ପିଅନ ଅଧିନାୟକ, ଧୋନୀ ଖେଳିଛନ୍ତି ସବୁଠୁ ଅଧିକ ୨ ଫାଇନାଲ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପକୁ ନେଇ ସମସ୍ତ ୧୬ ଦଳ ପ୍ରସ୍ତୁତ । ସବୁ ୧୬ ଟିମ୍ ଘୋଷଣା ହୋଇ ସାରିଛି । ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ପ୍ରଥମ ଥର ଟି-୨୦ ବିଶ୍ୱ କପ୍ ଖେଳିବାକୁ ଯାଉଛି । ଦଳ ୨୦୦୭ ପରଠୁ ଟି-୨୦ ବିଶ୍ୱ କପ୍ ଜିତି ପାରି ନାହିଁ । ୨୦୧୩ ପରେ ଭାରତୀୟ ଦଳ ପ୍ରଥମ ଆଇସିସି ଟାଇଟଲକୁ ଅପେକ୍ଷା କରି ରହିଛି । ଇଂଲଣ୍ଡର ଅଧିନାୟକ ଇଅନ ମୋର୍ଗାନ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ୧୬ ଦଳର ସବୁଠୁ ଅନୁଭବୀ ଅଧିନାୟକ । ବିଶ୍ୱ କପ୍ ଜିତିଥିବା ସମସ୍ତ ୫ ଅଧିନାୟକଙ୍କୁ ଏଥର ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିବ ନାହିଁ । ବିଶ୍ୱ କପ୍ ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ନଭେମ୍ବର ୧୪ ପର୍ଯ୍ୟନ୍ତ ଚାଲିବ ।

ଏହା ଟି-୨୦ ବିଶ୍ୱ କପର ସପ୍ତମ ସଂସ୍କରଣ । ଏ ପର୍ଯ୍ୟନ୍ତ ୫ ଦଳ ଟାଇଟଲ୍ ଜିତି ପାରିଛନ୍ତି । ୱେଷ୍ଟଇଣ୍ଡିଜର ଡାରେନ ସାମି ଏବଂ ଭାରତର ମହେନ୍ଦ୍ର ସିଂହ ଧୋନୀ ଅଧିନାୟକ ଭାବେ ସର୍ବାଧିକ ଦୁଇ ଦୁଇଟି ଫାଇନାଲ୍ ମୁକାବିଲା ଖେଳିଛନ୍ତି । ସାମି ଉଭୟ ଦୁଇଟି ଫାଇନାଲ ଜିତିଥିବା ବେଳେ ଧୋନୀ କେବଳ ୨୦୦୭ ବିଶ୍ୱ କପ୍ ଚାମ୍ପିଅନ ହେବାରେ ସଫଳ ହୋଇଛନ୍ତି । ୨୦୧୪ରେ ଲସିଥ ମାଲିଙ୍ଗାଙ୍କ ନେତୃତ୍ୱାଧୀନ ଶ୍ରୀଲଙ୍କା ଫାଇନାଲରେ ଭାରତକୁ ପରାସ୍ତ କରି ଚାମ୍ପିଅନ ହୋଇଥିଲା । ଏହା ବ୍ୟତୀତ ଇଂଲଣ୍ଡର ପଲ୍ କଲିଙ୍ଗଉଡ ଏବଂ ପାକିସ୍ତାନର ୟୁନୁସ ଖାନ ଅଧିନାୟକ ଭାବେ ଥରୁଟିଏ ଟି-୨୦ ବିଶ୍ୱ କପ୍ ଜିତିଛନ୍ତି । ଏଥର ବିଶ୍ୱ କପରେ ଏହି ସମସ୍ତ ପାଞ୍ଚ ସଫଳ ଅଧିନାୟକଙ୍କୁ ଦେଖିବାକୁ ମିଳିବ ନାହିଁ ।

ଟି-୨୦ ବିସ୍ୱ କପ୍ ପାଇଁ ବିରାଟ କୋହଲିଙ୍କୁ ଦଳର ଅଧିନାୟକ କରାଯାଇଛି । ଏମଏସ ଧୋନୀଙ୍କୁ ଦଳର ମେଣ୍ଟର କରାଯାଇଛି । ଧୋନୀଙ୍କ ନିକଟରେ ୪ ଟି-୨୦ ଟାଇଟଲ୍ ରହିଛି । ସେ ବିଶ୍ୱ କପ୍ ବ୍ୟତୀତ ତିନି ଥର ଆଇପିଏଲ ଟାଇଟଲ୍ ଜିତିବାରେ ସଫଳ ହୋଇଛନ୍ତି । ରୋହିତ ଶର୍ମା ଦଳର ଉପ ଅଧିନାୟକ ଅଛନ୍ତି । ସେ ଏ ପର୍ଯ୍ୟନ୍ତ ଆଇପିଏଲରେ ୫ ଥର ନିଜ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିଅନ କରାଇ ସାରିଛନ୍ତି । ଅର୍ଥାତ ଭାରତୀୟ ଦଳ ପାଖରେ ଅନୁଭବର କୌଣସି ଅଭାବ ନାହିଁ । ତେଣୁ ବିରାଟ କୋହଲି ନିଜର ଅଧିନାୟକତ୍ୱରେ ପ୍ରଥମ ଆଇସିସି ଟ୍ରଫି ଜିତିବାକୁ ଚାହିଁବେ ।

Get real time updates directly on you device, subscribe now.