fbpx

ନିଟ୍ ପରୀକ୍ଷା ଦେବେ ନାହିଁ ତାମିଲନାଡୁ ଛାତ୍ର-ଛାତ୍ରୀ ! ଗୃହରେ ବିଧେୟକ ଆଗତ

ଚେନ୍ନାଇ : ମେଡିକାଲ ପ୍ରବେଶିକା ପରୀକ୍ଷା(ନିଟ୍)ରେ ସାମିଲ ହେବ ନାହିଁ ତାମିଲନାଡୁ । ତାମିଲନାଡୁର ଛାତ୍ର-ଛାତ୍ରୀ ନିଟ୍ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁ ସରକାର । ଏ ନେଇ ବିଧାନସଭାରେ ବିଲ୍ ଆଗତ କରାଯାଇଛି । ଯେଉଁଥିରେ ରାଜ୍ୟର ଛାତ୍ର-ଛାତ୍ରୀଙ୍କୁ ମେଡିକାଲ ପ୍ରବେଶିକା ପରୀକ୍ଷାରୁ ରିହାତି ଦେବା ପାଇଁ ରାଷ୍ଟ୍ରପତିଙ୍କ ସହମତି ଲୋଡା ଯାଇଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି, ମୁଁ ନିଟ୍ ବିରୋଧରେ ଗୃହରେ ପ୍ରସ୍ତାବ ଆଗତ କରିଛି । ମୁଁ ବିରୋଧୀ ଦଳଙ୍କୁ ଅନୁରୋଧ କରୁଛି ଯେ, ସେମାନେ ଏହି ପ୍ରସ୍ତାବକୁ ସମର୍ଥନ କରନ୍ତୁ । ଏହି ବିଧେୟକରେ ଦ୍ୱାଦଶ ଶ୍ରେଣୀ ମାର୍କ ଆଧାରରେ ଛାତ୍ର-ଛାତ୍ରୀଙ୍କୁ ମେଡିକାଲ ପାଠ୍ୟକ୍ରମ ପାଇଁ ନାମ ଲେଖାଇବା ପାଇଁ ଅନୁମତି ଦେବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, ମେଡିକାଲ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଉଦ୍ଦିଷ୍ଟ ନିଟ୍ ଗତକାଲି ଦେଶବ୍ୟାପୀ ଅନୁଷ୍ଠିତ ହୋଇଛି । ପରୀକ୍ଷା ଦେବା ପାଇଁ ପ୍ରାୟ ୧୬ ଲକ୍ଷ ଛାତ୍ର-ଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ହେଲେ ପରୀକ୍ଷାର କିଛି ଘଣ୍ଟା ପୂର୍ବରୁ ତାମିଲନାଡୁର ଜଣେ ୧୯ ବର୍ଷୀୟ ଛାତ୍ରଙ୍କ ଆତ୍ମହତ୍ୟା ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି । ଏହି ପ୍ରସଙ୍ଗକୁ ନେଇ ସୋମବାର ଖୁବ୍ ହଙ୍ଗାମା ହୋଇଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମକେ ନେତା ଇକେ ପଲାନିସ୍ୱାମୀ କହିଛନ୍ତି, ନିଟକୁ ନେଇ ଛାତ୍ର ଓ ଅଭିଭାବକ ପୂରା ଦ୍ୱନ୍ଦ୍ୱରେ ଅଛନ୍ତି । ଡିଏମଏକେ ସରକାର ନିଟକୁ ନେଇ କୌଣସି ସ୍ପଷ୍ଟ ନିଷ୍ପତ୍ତି ନେଇ ପାରି ନାହାନ୍ତି । ସେ ଛାତ୍ରଙ୍କ ଆତ୍ମହତ୍ୟା ପାଇଁ ଡିଏମକେ ସରକାରଙ୍କୁ ଦାୟୀ କରିଛନ୍ତି ।

 

ଗତକାଲି ପରୀକ୍ଷାର କିଛି ଘଣ୍ଟା ପୂର୍ବରୁ ତାମିଲନାଡୁର ସାଲେମ ଜିଲ୍ଲାରେ ଏସ୍ ଧନୁଶ ନାମକ ଜଣେ ଆଶାୟୀ ନିଟରେ ଫେଲ୍ ହେବା ଭୟରେ ଆତ୍ମହତ୍ୟା କରିଥିବା କୁହାଯାଉଛି । ନିଟ୍ ପାଇଁ ଏହା ତାଙ୍କର ତୃତୀୟ ପ୍ରୟାସ ହୋଇଥାନ୍ତା । ତାଙ୍କର ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶୋକ ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.