fbpx

ଟି-୨୦ ବିଶ୍ୱକପ୍‌: ୟୁଏଇ ଏବଂ ଓମାନରେ ଆୟୋଜନ ହେବ, ଆଗୁଆ ପ୍ରସ୍ତୁତି ପାଇଁ ଆଇସିସିକୁ ଜଣାଇଲା ବିସିସିଆଇ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ଚଳିତ ବର୍ଷର ଟି-୨୦ ବିଶ୍ୱକପ୍‌ ଆୟୋଜନ ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି।କରୋନା ପରିସ୍ଥିତିକୁ ଲକ୍ଷ୍ୟ କରି ଜୁନ ୨୮ ତାରିଖ ମଧ୍ୟରେ ବିଶ୍ୱକପ୍‌ ଅୟୋଜନ ନେଇ ଚୂଡାନ୍ତ ନିଷ୍ପତ୍ତି ଜଣାଇବା ପାଇଁ ବିସିସିଆଇକୁ ତିନି ଦିନ ତଳେ ଆଇସିସି ସମୟ ଦେଇଥିଲା । ମାତ୍ର ବିସିସିଆଇ ଆଉ ଅଧିକ କାଳ ବିଳମ୍ବନ କରି ଏ ସମ୍ପର୍କରେ ଆଇସିସିକୁ ଅବଗତ କରାଇଛି । ଏପରିକି ବିଶ୍ୱକପ୍‌ ଆୟୋଜନ ନେଇ ଆଗୁଆ ପ୍ରସ୍ତୁତି ଆରମ୍ଭ କରିବାକୁ ମଧ୍ୟ ବିସିସିଆଇ ଭିତିରିଆ ସୂଚନା ଦେଇଛି ।

ତେଣୁ କରୋନା ପରିସ୍ଥିତି ନେଇ ଚଳିତ ବର୍ଷ ଭାରତରେ ଟି-୨୦ କ୍ରିକେଟ ବିଶ୍ୱକପ୍‌ ଅନୁଷ୍ଠିତ ହେବା ଆଶା ମଉଳି ଯାଇଛି । କରୋନା ପରିସ୍ଥିତିରେ ସୁଧାର ଆସିଲେ ଭାରତରେ ଏହି ବିଶ୍ୱକପ୍‌ ଆୟୋଜନ ପାଇଁ ଯୋଜନା କରିଥିଲା । ମାତ୍ର ଆଗକୁ ସମ୍ଭାବ୍ୟ କରୋନା ପରିସ୍ଥିତିକୁ ଆକଳନ କରି ବିସିସିଆଇ ଏହି ଚିନ୍ତାଧାରାରୁ ସମ୍ପୂର୍ଣ୍ଣ
ଦୂରେଇ ଯାଇଛି । ତେଣୁ ୟୁଏଇର ତିନି ସ୍ଥାନ ଦୁବାଇ ,ଆବୁଧାବି ଓ ଶାରଜା ସହିତ ଓମାନର ମାସ୍କଟରେ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପ୍‌ ମ୍ୟାଚ । ଆଗାମୀ ସମୟ ରେ ଏହି ବିଶ୍ୱକପର ପୂର୍ଣ୍ଣାଙ୍ଗ କାର୍ଯ୍ୟସୂଚୀ ବିସିସିଆଇ ପକ୍ଷରୁ ଘୋଷଣା କରାଯିବ ।

ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଅକ୍ଟୋବର ମାସ ଶେଷ ସପ୍ତାହରେ ଟି-୨୦ ବିଶ୍ୱକପ୍‌ ଅନୁଷ୍ଠିତ ହେବ । ତେବେ ୟୁଏଇରେ ଆଇପିଏଲର ଅବଶିଷ୍ଟ ୩୧ ମ୍ୟାଚ ଅନୁଷ୍ଠିତ ହେବା ପାଇଁ ଥିବାରୁ ଟି-୨୦ ବିଶ୍ୱକପର ପ୍ରଥମ ପର୍ଯ୍ୟାୟ ପ୍ରିଲିମିନାରୀ ରାଉଣ୍ଡ ମ୍ୟାଚ ଓମାନର ମସ୍କାଟରେ ଅନୁଷ୍ଠିତ ହେବ । ଅକ୍ଟୋବର ୧୦ ତାରିଖରେ ଆଇପିଏଲ ସମାପ୍ତ ହେବା ପରେ ଦୁବାଇ ,ଶାରଜା ଓ ଆବୁଧାବି ଟି-୨୦ ବିଶ୍ୱକପର ଅବଶିଷ୍ଟ ମ୍ୟାଚ ଆୟୋଜନ କରିବାକୁ ପ୍ରସ୍ତୁତ ହେବ ।

ଉଲ୍ଲେଖନୀୟ ବିଷୟ ହେଲା ଯେ ଭାରତରେ କରୋନା ସ୍ଥିତି ଭୟଙ୍କର ହୋଇ ପଡିଥିବା ବେଳେ ପୁଣି କିଛି ଦିନ ପରେ ତୃତୀୟ ଲହର ଆସିବ ବୋଲି ଆଶଙ୍କା ରହିଛି । ତେଣୁ ଆଇପିଏଲର ଦ୍ୱିତୀୟ ଭାଗ ସହିତ ୧୬ ଦଳକୁ ନେଇ ଆସନ୍ତା ଅକ୍ଟୋବର -ନଭେମ୍ବର ମାସରେ ଟି-୨୦ ବିଶ୍ୱକପ ଆୟୋଜନ କରିବା ଅସମ୍ଭବ ହୋଇ ପଡିବ। ଆଇପିଏଲର ପ୍ରଥମ ଭାଗ ଅନୁଷ୍ଠିତ ହେବା ବେଳେ କେତେକ ଫ୍ରାଞ୍ଚାଇଜର ଖେଳାଳି ହଠାତ କରୋନାରେ ଆକ୍ରାନ୍ତ ହେବା ଯୋଗୁ ଗୁରୁତର ପରିସ୍ଥିତି ସୃଷ୍ଟି ହେବା ସହ ଅଧାରୁ ଆଇପିଏଲ ବନ୍ଦ କରିବାକୁ ବିସିସିଆଇ ବାଧ୍ୟ ହୋଇଥିଲା । ତେଣୁ ଟି- ୨୦ ବିଶ୍ୱକପ ଭାରତରେ ଅନୁଷ୍ଠିତ ହେଲେ ,ଅନୁରୂ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ୟୁନାଇଟେଡ ଆରବ ଏମିରେଟ୍ସରେ ଏହା ଆୟୋଜନ କରିବା ପାଇଁ ଆଇସିସିକୁ ସନିବାର ଦିନ ବିସିସିଆଇ ଜଣାଇଦେଇଛି ।

Get real time updates directly on you device, subscribe now.