fbpx

ଜାରି ହେଲା ନିର୍ଦ୍ଦେଶନାମା: ଗଞ୍ଜାମରେ ରାତି ୮ଟା ପରେ ବନ୍ଦ ରହିବ ଚା’, ମଦ ଦୋକାନ ଓ ଢାବା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଜୁନ୍ ୧ରେ ଚତୁର୍ଥ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ତେବେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ନିର୍ବାଚନ ଆୟୋଗ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିବା ସହିତ ପ୍ରତି ବୁଥରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିଛନ୍ତି । ତେବେ ଏହା ମଧ୍ୟରେ ନିଆଯାଇଛି ଏକ ବଡ଼ ପଦକ୍ଷେପ । ଗଞ୍ଜାମରେ ରାତି ୮ଟା ପରେ ଚା’, ମଦ ଦୋକାନ ଓ ଢାବା ବନ୍ଦ ରହିବ । ଜିଲ୍ଲା ଏସପିଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ଛତ୍ରପୁର ଥାନା ଆଇଆଇସି ଏ ବାବଦରେ ସୂଚନା ଦେଇଛନ୍ତି । ଜୁନ୍ ମାସ ୭ ତାରିଖ ପର୍ଯ୍ୟନ୍ତ ଏହି ରାତ୍ରି କଟକଣା ଜାରି ରହିବ ବୋଲି କୁହାଯାଇଛି ।

ଆସନ୍ତା ମାସ ୧ ତାରିଖରେ ଅନ୍ତିମ ପର୍ଯ୍ୟାୟ ମତଦାନ ସରିବା ପରେ ୪ ତାରିଖରେ ଫଳାଫଳ ଘୋଷଣା ହେବ । ତେଣୁ ନିର୍ବାଚନର ରେଜଲ୍ଟ ପ୍ରକାଶ ପାଇବା ପରିପ୍ରେକ୍ଷୀରେ ହିଂସା ବୃଦ୍ଧିର ଆଶଙ୍କା ରହିଥିବାରୁ ତାହାକୁ ରୋକିବ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ରାତି ୮ଟା ପରେ ଦୋକାନ ବଜାର, ଢାବା, ମଦ ଦୋକାନ ଆଦି ବନ୍ଦ ରଖିବାକୁ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଚା’ ଓ ମଦ ଆଦି ଦୋକାନମାନଙ୍କରେ ରାତି ସମୟରେ ଅଧିକ ଭିଡ଼ ଜମୁଥିବାରୁ ଏହାକୁ ବନ୍ଦ ରଖିବାକୁ କୁହାଯାଇଛି । ଏହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ଏନେଇ ଗଞ୍ଜାମ ଥାନା ଆଇଆଇସିଙ୍କ ତତ୍ତ୍ୱାବଧାନରେ ଏସଆଇ, ଏଏସଆଇ, ଥାନାର ସମସ୍ତ କର୍ମଚାରୀ, ଏକ ପ୍ଲାଟୁନ କେନ୍ଦ୍ରୀୟ ସୁରକ୍ଷା ବାହିନୀଙ୍କୁ ନେଇ ମିଳିତ ଭାବେ ଫ୍ଲାଗମାର୍ଚ୍ଚ କରାଯାଇଛି । ସେହିପରି ଜଗନ୍ନାଥପ୍ରସାଦ ଥାନା ପୋଲିସ ପକ୍ଷରୁ ମଧ୍ୟ ବିଭିନ୍ନ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯିବା ସହ ପୋଲିସକୁ ସହଯୋଗ କରିବା, ହିଂସା ଓ ବିଶୃଙ୍ଖଳାଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏଥିସହିତ ରାତି ୮ଟା ପରେ ଚା’ ଦୋକାନ, ଫାଷ୍ଟଫୁଡ ଦୋକାନ, ଢାବା ବନ୍ଦ ରଖିବାକୁ କୁହାଯାଇଥିଲା ।

Get real time updates directly on you device, subscribe now.