ଖାଲି ପଡିଛି ଶିକ୍ଷକ ପଦବୀ: ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡ଼ିକରେ ଖାଲି ପଡିଥିବା ଶିକ୍ଷକ ପଦବୀଗୁଡ଼ିକ ପୂରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭାଗୀୟ ଅତିରିକ୍ତ ଶାସନ ସଚିବ ଇତିମଧ୍ୟରେ ସବୁ କଲେଜର ଅଧ୍ୟକ୍ଷଙ୍କୁ ଚିଠିଲେଖି ଖାଲି ରହିଥିବା ପଦବୀ ସଂଖ୍ୟା ସଂକ୍ରାନ୍ତରେ ତଥ୍ୟ ମାଗିଛନ୍ତି । ଅବସରଗ୍ରହଣ ପରେ ଖାଲି ପଡିବାକୁ ଥିବା ପଦବୀଗୁଡ଼ିକ ସମ୍ପର୍କରେ ମଧ୍ୟ ତଥ୍ୟ ପ୍ରଦାନ କରିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି । ୬୬୨ ଏବଂ ୪୮୮ ବର୍ଗ ସହିତ ସଂସ୍କୃତ କଲେଜ ଗୁଡ଼ିକରେ ମଧ୍ୟ ଖାଲିଥିବା ପଦବୀ ପୂରଣ ପାଇଁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ।

ଚଳିତ ବର୍ଷ ଉଚ୍ଚଶିକ୍ଷାରେ ବିଭିନ୍ନ ବର୍ଗର ୫ହଜାରରୁ ଅଧିକ ପଦରେ ନିଯୁକ୍ତି ପ୍ରଦାନ କରାଯିବ। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଶିକ୍ଷକ ଓ ଅଣଶିକ୍ଷକ ପଦ ସାଙ୍ଗକୁ ଗ୍ରୁପ୍‌‌ ସି ଓ ଡି ବର୍ଗର ପଦ ପୂରଣ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିବ ବୋଲି ବିଭାଗ ଦର୍ଶାଇଛି। ଏ ନେଇ ସବିଶେଷ ତାଲିକା ବିଭାଗ ପ୍ରସ୍ତୁତ କରିବା ସହ ଚଳିତ ବର୍ଷ ପାଇଁ ମାଷ୍ଟରପ୍ଲାନ୍‌‌ ପ୍ରସ୍ତୁତ କରିଛି। ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଖାଲି ପଡ଼ିଥିବା ୫୪ହଜାରରୁ ଅଧିକ ପଦଗୁଡ଼ିକର ପୂରଣ ଲାଗି ସରକାରୀସ୍ତରରେ ବିଧିବଦ୍ଧ ଘୋଷଣା ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ସରକାରୀ, ଅନୁଦାନପ୍ରାପ୍ତ କଲେଜ, ବିଶ୍ୱବିଦ୍ୟାଳୟ ସମେତ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗୁଡ଼ିକରେ ଖାଲିପଡ଼ିଥିବା ୫ ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପଦ ପୂରଣ ଲାଗି ଯୋଜନା କରିଛି। ଚଳିତ ବର୍ଷରେ ହିଁ ଏହି ପଦଗୁଡ଼ିକରେ ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି।