fbpx

ଶିକ୍ଷକଙ୍କ ଝାଡୁ ମାରିବା ଭିଡିଓ ଭାଇରଲ ଘଟଣା: DEOଙ୍କ କାର୍ଯ୍ୟାଳୟ ସଫା କରି ପ୍ରତିବାଦ କଲେ ଶିକ୍ଷକ..

ନବରଙ୍ଗପୁର: ଝାଡୁ ମାରି ମାରି ଶିକ୍ଷକମାନେ ପହଞ୍ଚିଛନ୍ତି ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ । ଶିକ୍ଷକ ମହାସଂଘ ଏକଜୁଟ ହୋଇ ନିଆରା ଢଙ୍ଗରେ ଝାଡୁ ଧରି କରିଛନ୍ତି ପ୍ରତିବାଦ । ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ଭେଣ୍ଡିଆ ୟୁଜି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗଦିଶ ଗଉଡ଼ଙ୍କୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ ବିଦ୍ୟାଳୟରେ ଗତ ୮ ତାରିଖ ଦିନ ଝାଡୁ କରାଇଥିଲେ । ଏଥିସହ ତାଙ୍କର ଭିଡିଓ ଓ ଫଟୋ ଭାଇରଲ କରିଥିବା ଘଟଣାକୁ ନେଇ ତାତି ଉଠିଛି ଶିକ୍ଷକ ସଂଘ । ଏଭଳି ଘଟଣା ଜଣେ ଶିକ୍ଷକଙ୍କ ଆତ୍ମ ସମ୍ମାନ ପ୍ରତି କଠୋରଘାତ ହେବା ସହ ଶିକ୍ଷକ ସମାଜକୁ ନୀଚ୍ଚ ଦର୍ଶାଇବାକୁ ଅଧିକାରୀ ଜଣକ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି ।

ଯାହାର ପ୍ରତିବାଦ ସ୍ୱରୂପ ଆଜି ନବରଙ୍ଗପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଅନୁବନ୍ଧିତ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ) ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଝାଡୁ ମାରି ପ୍ରତିବାଦ କରିଛନ୍ତି । ଯେଉଁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭେଣ୍ଡିଆ ସ୍ଥିତ UGHS ରେ ଅଳିଆ ଆବର୍ଜନା ଥିବା କହି ପ୍ରଧାନଶିକ୍ଷକକୁ ଝାଡୁ ଧରାଇବା ସହ ଭିଡିଓ ଭାଇରଲ କରିଥିଲେ । ଆଜି ସେହି ADEO ଙ୍କ ଚାମ୍ବରରେ ଅଳିଆ ଆବର୍ଜନା ଥିବା ସହ ତାଙ୍କ କାର୍ଯ୍ୟାଳୟ ଥିବା ଉପର ମହଲା ପାହାଚରେ ପାନ ଘୁଟଖା ଛେପ ଥିବାରୁ ଶିକ୍ଷକ ମାନେ ଝାଡୁ ମାରି ସଫା କରିଥିଲେ । ଏହାପରେ ପ୍ରତିବାଦ କରୁଥିବା ଶିକ୍ଷକମାନେ ଉପର ମହଲାରୁ ତଳ କୁ ଆସି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଅଧିକାରୀ ଜଣକ ଜଣେ ଶିକ୍ଷକଙ୍କୁ ଝାଡୁ କରାଇ ଭିଡିଓ ଭାଇରଲ କରାଯିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛି ଶିକ୍ଷକ ସଙ୍ଘ । ଏନେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କ୍ଷମା ମାଗନ୍ତୁ ବୋଲି ସଂଘର କର୍ମକର୍ତ୍ତା ଓ ପୀଡିତ ଶିକ୍ଷକ ଦାବି କରିଥିଲେ । ତେବେ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଏହିଭଳି ଭୁଲ ଆଉ ଆଗକୁ କେବେ ହେବ ନାହିଁ ବୋଲି କହିବା ସହ ଏହି ଘଟଣାକୁ ନେଇ ତାଙ୍କ ତରଫରୁ କ୍ଷମା ମାଗିଥିଲେ ମଧ୍ୟ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ କିନ୍ତୁ, କାର୍ଯ୍ୟାଳୟ ରେ ଥାଇ ମଧ୍ୟ ଆଲୋଚନାକୁ ଆସିନଥିଲେ । ଯାହାକୁ ନେଇଁ ସଂଘ କର୍ମକର୍ତା ମାନେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ କ୍ଷମା ନ ମାଗିଲେ ଆନ୍ଦୋଳନ ପନ୍ଥା ଆପଣାଯିବ ବୋଲି ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.