fbpx

Western Dress ପିନ୍ଧିଲେ କଟିବ ଦରମା: ସ୍କୁଲରେ ଶିକ୍ଷକଙ୍କ ପାଇଁ ବି ଜାରି ହେଲା ଗାଇଡଲାଇନ

Advertisement

ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ୟୁନିଫର୍ମ ପିନ୍ଧି ଆସିବା ପାଇଁ ନିର୍ଦ୍ଦେଶ ରହିଛି । ତେଣୁ ପିଲାମାନେ ବାଧ୍ୟ ହୋଇ ୟୁନିଫର୍ମ ପିନ୍ଧି ସ୍କୁଲ ଆସୁଛନ୍ତି । ତେବେ ପିଲାମାନଙ୍କ ପରେ ଏବେ ସ୍କୁଲର ଶିକ୍ଷକଙ୍କ ଉପରେ ମଧ୍ୟ ପଡ଼ିଛି ଏହି ୟୁନିଫର୍ମ ଛାଟ । ଏଣିକି ଶିକ୍ଷକ/ଶିକ୍ଷୟତ୍ରୀ ମଧ୍ୟ ଫର୍ମାଲ ଆଉଟଫିଟରେ ସ୍କୁଲକୁ ଆସିବାକୁ ବାଧ୍ୟ ହେବେ । ନଚେତ୍ ସେମାନଙ୍କ ଦରମାରେ କାଟ୍ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେମାନଙ୍କ ପୋଷାକ ସହିତ ଫର୍ମାଲ ଲୁକରେ ସ୍କୁଲ ଆସିପାରିବେ ଶିକ୍ଷକ/ଶିକ୍ଷୟତ୍ରୀ । ଯାହା ବିଦ୍ୟାଳୟର ପରିବେଶକୁ ଆହୁରି ସୌନ୍ଦର୍ଯ୍ୟ ଭରିଦେବ । ଏ ନେଇ ଡିଇଓ ନିର୍ଦ୍ଦେଶ ଜାରି କରିଛନ୍ତି ।

ସୂଚନା ଅନୁସାରେ, ବିହାରର ବେଗୁସରାୟ ଜିଲ୍ଲାରେ ଏମିତି ଏକ ଅଜବ ନିର୍ଦ୍ଦେଶ ଦେଇଛନ୍ତି ଡିଇଓ । ଏହି ନିୟମ ଅନୁସାରେ, ଶିକ୍ଷକମାନେ ସ୍କୁଲକୁ ଦାଢି ରଖି ଆସିପାରିବେ ନାହିଁ । କୌଣସି ଶିକ୍ଷକ ଦାଢି ରଖିଥିଲେ, ତାଙ୍କୁ ଦଣ୍ଡ ସ୍ୱରୂପ ଦରମା କଟାଯିବ ବୋଲି ସେ ଆଦେଶ ଦେଇଛନ୍ତି । ଏହାବ୍ୟତୀତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଉଭୟଙ୍କୁ ସେମାନଙ୍କ ପୋଷାକ ଉପରେ ମଧ୍ୟ ତାଗିଦ୍ କରାଯାଇଛି । ସ୍କୁଲକୁ ଜିନ୍ସ କିମ୍ବା ଟି-ସାର୍ଟ ଇତ୍ୟାଦି ୱେଷ୍ଟର୍ଣ୍ଣ ପୋଷାକ ପିନ୍ଧି ଆସିବା ପାଇଁ ମନା କରାଯାଇଛି । ମହିଳାମାନେ ବିଶେଷ କରି ଉତ୍ତେଜନାମୂଳକ ପୋଷାକ ପିନ୍ଧିପାରିବେ ନାହିଁ । ମହିଳା ଶିକ୍ଷୟତ୍ରୀମାନେ ଭାରତୀୟ ପୋଷାକ ପିନ୍ଧି ସ୍କୁଲକୁ ଆସିବା ପାଇଁ ଡିଇଓ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହି ନିୟମର ଉଲ୍ଲଙ୍ଘନ କଲେ ସମ୍ପୃକ୍ତ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଦରମା କାଟିବା ପାଇଁ ଚେତାବନୀ ଦିଆଯାଇଛି ।

ତେବେ ଡିଇଓଙ୍କ ଏହି ନିର୍ଦ୍ଦେଶକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଶିକ୍ଷକ ସଂଘ । ଏହାସହିତ ୟୁନିଫର୍ମ ଭତ୍ତା ପାଇଁ ସରକାରଙ୍କୁ ସଂଘ ଦାବି କରିଛି । ଆଦେଶକୁ ବିରୋଧ କରି ଶିକ୍ଷକ ସଂଘ ତରଫରୁ ଏହି ଆଦେଶନାମାକୁ ଫେରାଇ ନେବା ପାଇଁ ଚେତାବନୀ ଦିଆଯାଇଛି । ନଚେତ୍ ରାସ୍ତାକୁ ଓହ୍ଲାଇ ଏହାର ବିରୋଧ କରିବା ପାଇଁ ଚେତାବନୀ ଦେଇଛି ଶିକ୍ଷକ ସଂଘ । ତେବେ ବେଗୁସରାୟ ଡିଇଓଙ୍କ ଏହି ଆଦେଶପତ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଅନେକ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Get real time updates directly on you device, subscribe now.