fbpx
BSKY
BJD MC SKY
BJD MS SKY

ରାଜ୍ୟର ସରକାରୀ ମେଡିକାଲ କଲେଜରେ ଖୁବଶୀଘ୍ର ଆରମ୍ଭ ହେବ ଟିଚିଂ ହସ୍ପିଟାଲ: ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ନୂଆ ସରକାରୀ ମେଡିକାଲ କଲେଜଗୁଡ଼ିକରେ ଖୁବଶୀଘ୍ର ଟିଚିଂ ହସ୍ପିଟାଲ ଆରମ୍ଭ ହେବ । ସେଥିପାଇଁ ରାଜ୍ୟର ୯ଟି ସରକାରୀ ହସ୍ପିଟାଲର କାର୍ଯ୍ୟ ସାରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି । ଏହାପରେ ହସ୍ପିଟାଲର କାର୍ଯ୍ୟ ଆରମ୍ଭ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏ ବାବଦରେ ସମସ୍ତ ସରକାରୀ ମେଡିକାଲ କଲେଜର ଅଧ୍ୟକ୍ଷଙ୍କୁ ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି ।

ସୂଚନା ମୁତାବକ, ଜାନୁଆରୀ ମାସ ଶେଷ ସୁଦ୍ଧା କେନ୍ଦୁଝର ଟିଚିଂ ହସ୍ପିଟାଲର କାର୍ଯ୍ୟ କରିବ । ଜୁନ ସୁଦ୍ଧା ବାଲେଶ୍ୱର, ବଲାଙ୍ଗିର, ବାରିପଦାର କାମ ସରିବ । ଜୁଲାଇ ସୁଦ୍ଧା ଯାଜପୁର ଓ ପୁରୀର କାମ ସରିବ । ଅଗଷ୍ଟ ସୁଦ୍ଧା କୋରାପୁଟ ଓ ଫୁଲବାଣୀ, ଚଳିତ ବର୍ଷ ଶେଷ ସୁଦ୍ଧା ଭବାନିପାଟଣା ଟିଚିଂ ହସ୍ପିଟାଲର କାମ ସାରିବା ପାଇଁ କୁହାଯାଇଛି । ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ ଆବଶ୍ୟକ ସରଞ୍ଜାମର ତାଲିକା ପ୍ରସ୍ତୁତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟର ସ୍ୱାସ୍ଥ୍ୟକ୍ଷେତ୍ରକୁ ବଳିଷ୍ଠ କରିବା ପାଇଁ ରାଜ୍ୟ ସରକାର ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଗତମାସରେ ୨୭୪ ଜଣ ସହକାରୀ ପ୍ରଫେସରଙ୍କୁ ବ୍ରୋଡ ସ୍ପେଶିଆଲିଟି ବିଭାଗରେ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ସେଥିପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି)କୁ କୁହାଯାଇଥିଲା । ଏହାପୂର୍ବରୁ ଓପିଏସସିର ସୁପାରିଶ କ୍ରମେ ୨୪୯ ଜଣ ସହକାରୀ ପ୍ରଫେସରଙ୍କୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନିଯୁକ୍ତି ଦିଆଯାଇଥିଲା । ସୁଖୀ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।

Get real time updates directly on you device, subscribe now.