ପାକିସ୍ତାନରେ Champions Trophy ଖେଳିବନି ଟିମ ଇଣ୍ଡିଆ: PCB ଆଗରେ ଭାରତ ରଖିଲା ନୂଆ Demand

ନୂଆଦିଲ୍ଲୀ: ଆସନ୍ତାବର୍ଷ ପାକିସ୍ତାନ ଆୟୋଜନ କରିବ ଚମ୍ପିଆନ୍ସ ଟ୍ରଫି-୨୦୨୫ । କିନ୍ତୁ ଏହାପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡ ନେଇଛି ଏକ ବଡ଼ ନିଷ୍ପତ୍ତି । ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯିବାକୁ ମନା କରିଛି ଭାରତ । ଟିମ ଇଣ୍ଡିଆର ସମସ୍ତ ମ୍ୟାଚ ଅନ୍ୟ ଏକ ସ୍ଥାନରେ ଖେଳାଇବାକୁ ବୋର୍ଡ ଦାବି କରିଛି । ଅର୍ତାତ୍ ଚମ୍ପିଆନ୍ସ ଟ୍ରଫି ପାଇଁ ପାକିସ୍ତାନ କରିଥିବା ସୂଚୀ ପରିବର୍ତ୍ତନ କରିବାକୁ ବାଧ୍ୟ କରିଛି ଭାରତୀୟ କ୍ରିକେଟ ବୋର୍ଡ । ଗତବର୍ଷ ଏସିଆ କପ୍ ପରି ପୁଣିଥରେ ହାଇବ୍ରିଡ ମଡେଲରେ ଖେଳାଯାଇପାରେ ଚମ୍ପିଆନ୍ସ ଟ୍ରଫି-୨୦୨୫ ।

ସୂଚନା ଅନୁସାରେ, ଭାରତୀୟ କ୍ରିକେଟ ବୋର୍ଡ ଚମ୍ପିଆନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବାକୁ ମନା କରି ସାରିଛନ୍ତି । ଏ ନେଇ ପିସିବିକୁ ଭାରତ କହିଛି ଯେ, “ଦୀର୍ଘ ଦିନ ଧରି ଏହା ଆମର ଆଭିମୁଖ୍ୟ ଥିଲା ଏବଂ ଆମେ ଏହାକୁ ପରିବର୍ତ୍ତନ କରିବାକୁ ଚାହୁଁନାହୁଁ। ଆମେ ପିସିବିକୁ ଲେଖିଛୁ ଏବଂ ଆମ ମ୍ୟାଚକୁ ଦୁବାଇକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦିଆଯାଇଛି ।” ତେବେ ଏ ନେଇ ପାକିସ୍ତାନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଚମ୍ପିଆନ୍ସ ଟ୍ରଫିରେ ବିଶ୍ବର ୮ଟି ଟିମ୍ କରାଚି, ଲାହୋର ଏବଂ ରାୱଲପିଣ୍ଡିରେ ଏହି ଟୁର୍ଣ୍ଣାମେଣ୍ଟ ଖେଳିବେ । ତେବେ ଭାରତ ସରକାରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତିରେ ସ୍ଥିର ରହିଛି BCCI ।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପାକିସ୍ତାନ ଉପ-ମୁଖ୍ୟମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ମହମ୍ମଦ ଇଶାକ ଦାର ଏ ନେଇ ଏକ ଆଲୋଚନା ମଧ୍ୟ କରିଥିଲେ । ସଂଘାଇ ସହଯୋଗ ସଂଗଠନ ବୈଠକରେ ଭାରତୀୟ ଦଳକୁ ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ ନିମନ୍ତ୍ରଣ କରିଥିଲେ ମହମ୍ମଦ ଇଶାକ ଦାର । ଏହି ଆଲୋଚନାରେ ପିସିବି ଅଧ୍ୟକ୍ଷ ସୟଦ ମହସିନ୍ ରାଜା ନକଭି ମଧ୍ୟ ସାମିଲ ରହିଥିଲେ । ଏହି ଟୁର୍ଣ୍ଣାେମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ଭାରତକୁ ବିଭିନ୍ନ ପ୍ରସ୍ତାବ ଦେଇଥିଲା ପାକ୍ ବୋର୍ଡ । କିନ୍ତୁ ସମସ୍ତ ପ୍ରସ୍ତାବକୁ ଖାରଜ କରି ଭାରତ ଦୁବାଇରେ ଖେଳିବା ପାଇଁ ପ୍ରସ୍ତୁତ ହୋଇଛି ।