fbpx

ବିରାଟ-ରାହୁଲଙ୍କ ଶତକ: ଛକା ଓ ଚୌକା ବର୍ଷାରେ ପାକିସ୍ତାନର ନିଦ ହଜିଗଲା, ଟାର୍ଗେଟ ୩୫୭ ରନ୍

ନୂଆଦିଲ୍ଲୀ: ଏସିଆ କପର ସୁପର-୪ରେ ଭାରତ-ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୧୦ରେ ହୋଇଥିବା ମ୍ୟାଚ ବର୍ଷା କାରଣରୁ ସ୍ଥଗିତ ରହିଥିଲା । ଭାରତ ୨୪.୧ ଓଭରରେ ଦୁଇଟି ୱିକେଟ ହରାଇ ୧୪୭ ରନ ରନ ସଂଗ୍ରହ କରିଥିଲା । ଆଜି ରିଜର୍ଭ ଡେ’ରେ ଭାରତ ପୁଣି ଥରେ ତା’ର ଅସମାପ୍ତ ଇନିଂସ ଆରମ୍ଭ କରିଥିଲା । ତେବେ ପୂର୍ବରୁ ରୋହିତ ଶର୍ମା ଓ ଶୁବମନ ଗିଲ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଆଜି ବିରାଟ କୋହଲି ଓ କେଏଲ ରାହୁଲ ଶତକ ଅର୍ଜନ କରିଛନ୍ତି ।

ବିରାଟ ନିଜ କ୍ୟାରିୟରର ୪୭ତମ ଶତକ ହାସଲ କରିଥିବା ବେଳେ ରାହୁଲ ୬ତମ ଶତକ ହାସଲ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ମାଡ଼ରେ ପାକିସ୍ତାନୀ ବୋଲର ସତେ ଯେମିତି କାନ୍ଦି ପକାଇଥିଲେ । ଛକା ଓ ଚୌକାରେ ପଡ଼ିଆରୁ ସତେ ଯେମିତି ବର୍ଷା ଉଭେଇ ଯାଇଥିଲା । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨ ୱିକେଟ ହରାଇ ୩୫୬ ରନ ସଂଗ୍ରହ କରିଥିଲା । କୌଣସି ପାକିସ୍ତାନୀ ବୋଲରଙ୍କର ବୋଲିଂ ଏହି ଦୁଇ ସିଂହଙ୍କ ଆଗରେ କାମ କରିନଥିଲା ।

ଆଜିର ମ୍ୟାଚରେ ଜିତିବା ଟିମ୍ ଇଣ୍ଡିଆ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପାକିସ୍ତାନ ଓ ଶ୍ରୀଲଙ୍କା ଗୋଟିଏ ଲେଖାଏଁ ମ୍ୟାଚ ଖେଳି ୨ ପଏଣ୍ଟ ଲେଖାଏଁ ପାଇଥିବା ବେଳେ ଭାରତ ଆଜି ତା’ର ପଏଣ୍ଟ ଖାତା ଖୋଲିପାରେ । ସେହିପରି ବାଂଲାଦେଶ ୨ଟି ମ୍ୟାଚରେ ପରାଜୟ ବରଣ କରି ଶୂନ ପଏଣ୍ଟ ହାସଲ କରିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ବର୍ଷା ବାଧକ ସାଜୁଥିବାରୁ ତାହା ପଏଣ୍ଟ ଟେବୁଲକୁ ଏପଟ ସେପଟ କରିପାରେ । ତେଣୁ ଏ କ୍ଷେତ୍ରରେ ନେଟ୍ ରନରେଟର ମଧ୍ୟ ବଡ଼ ଭୂମିକା ରହିପାରେ । ଭାରତ ଆସନ୍ତାକାଲି ଶ୍ରୀଲଙ୍କାକୁ ଓ ୧୫ରେ ବାଂଲାଦେଶକୁ ଭେଟିବ ।

Get real time updates directly on you device, subscribe now.