fbpx

ପ୍ରଥମ ଟି-୨୦: ବାଂଲାଦେଶକୁ ୭ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଳୀ: ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ବିଜୟରୁ ଯାତ୍ରା ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୨୯, ସଞ୍ଜୁ ସାମସନଙ୍କ ୨୯ ରନ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ୩୯ ରନ ସହାୟତାରେ ଭାରତ ପ୍ରତିପକ୍ଷ ବାଂଲାଦେଶକୁ ୭ ୱିକେଟରେ ମାତ୍ ଦେଇଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୧୨୭ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଭାରତ ୧୧.୫ ଓଭରରେ ଦମଦାର ବ୍ୟାଟିଂ କରି ମାତ୍ର ୩ ୱିକେଟ ହରାଇ ୧୩୨ ରନ୍ ସଂଗ୍ରହ କରିନେଇଥିଲା । ଆସନ୍ତା ୯ରେ ଭାରତ ଦ୍ୱିତୀୟ ଓ ୧୨ରେ ତୃତୀୟ ମ୍ୟାଚ ଖେଳିବ ।

ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଓ ବରୁଣ ଚକ୍ରବର୍ତ୍ତୀ ଉଭୟେ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଯାଦବ ଓ ୱାଶିଂଟନ ସୁନ୍ଦର ୧ଟି ଲେଖାଏଁ ଅକ୍ତିଆର କରିଥିଲେ । ଭାରତ ଟସ୍ ଜିତିବା ପରେ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବାଂଲାଦେଶ ପକ୍ଷରୁ ମେହିଦୀ ହସନ ମିର୍ଜା ସର୍ବାଧିକ ୩୫ ରନ୍ ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଟେଷ୍ଟ ସିରିଜକୁ କ୍ଲିନ୍ ସ୍ୱିପ୍ କରିବା ପରେ ଟି-୨୦ରେ ତାହାକୁ ଦୋହରାଇବା ଲକ୍ଷ୍ୟରେ ଆଜି ଭାରତୀୟ ବ୍ୟାଟ୍ସମ୍ୟାନମାନେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରହମାନ ଓ ମେହିଦୀ ହସନ ମିର୍ଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.