fbpx

ଇଶାନଙ୍କ ପାଇଁ ଖୋଲୁଛି ଟିମ ଇଣ୍ଡିଆର ଦ୍ୱାର! ଖୁବଶୀଘ୍ର ଭାରତୀୟ ଦଳରେ ହେବେ ସାମିଲ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନ୍ ଦୀର୍ଘ ଦିନରୁ ଟିମ ଇଣ୍ଡିଆରୁ ବାଦ୍ ପଡ଼ିଛନ୍ତି । ଭାରତୀୟ ଦଳରୁ ବାଦ୍ ପଡ଼ିବା ପରେ ବିସିସିଆଇ ମଧ୍ୟ ତାଙ୍କୁ ବାର୍ଷିକ ଚୁକ୍ତିରୁ ବାଦ୍ ଦେଇଛି । ଏହାପରେ ଟିମ ଇଣ୍ଡିଆକୁ ତାଙ୍କ ଫେରିବା ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ତେବେ ବର୍ତ୍ତମାନ ଦଳକୁ ଫେରିବା ପାଇଁ ତାଙ୍କୁ ମିଳିପାରେ ସୁବର୍ଣ୍ଣ ସୁଯୋଗ । ଖୁବଶୀଘ୍ର ଟିମ ଇଣ୍ଡିଆରେ ତାଙ୍କର କମବ୍ୟାକ ହବା ନେଇ ଆଶା ରଖିଛନ୍ତି ଫ୍ୟାନ୍ସ । ବୁଚି ବାବୁ ଟୁର୍ଣ୍ଣାମେଣ୍ଟରେ ବିସ୍ଫୋରକ ବ୍ୟାଟିଂ ତାଙ୍କୁ ଭାରତୀୟ ଦଳର ଜର୍ସି ଫେରାଇପାରେ ।

୨୦୨୪ ମସିହାରେ ଭାରତ ପାଇଁ କୌଣସି ମ୍ୟାଚ୍ ଖେଳିବାର ସୁଯୋଗ ପାଇନାହାନ୍ତି ଇଶାନ୍ କିଶାନ୍ । ଏହାବ୍ୟତୀତ ଘରୋଇ କ୍ରିକେଟରୁ ମଧ୍ୟ ସେ ଦୂରେଇ ରହିଥିଲେ । କିନ୍ତୁ ବର୍ତ୍ତମାନ ଘରୋଇ କ୍ରିକେଟରେ କମବ୍ୟାକ କରିବା ସହ ତାଙ୍କର ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳିଛି । ବୁଚି ବାବୁ କ୍ରିକେଟରେ ଝାଡ଼ଖଣ୍ଡ ଦଳର ଅଧିନାୟକ ଭାବରେ ଦମଦାର ଶତକ ହାସଲ କରିଛନ୍ତି ଇଶାନ୍ କିଶାନ୍ । ମଧ୍ୟ ପ୍ରଦେଶ ବିପକ୍ଷରେ ଦଳ ସଂଘର୍ଷ କରୁଥିବା ବେଳେ ବିସ୍ଫୋରକ ଶତକ ସହ ସେ ଝାଡ଼ଖଣ୍ଡକୁ ବିଜୟ ଭେଟି ଦେଇଛନ୍ତି । ଏହି ମ୍ୟାଚର ପ୍ରଥମ ଇନିଂସରେ ୧୦୭ ବଲରୁ ୧୦ଟି ଛକା ଏବଂ ୫ଟି ଚୌକା ସହ ୧୧୪ ରନ୍ କରି ଟିମ ଇଣ୍ଡିଆକୁ ଫେରିବା ପାଇଁ ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି ଇଶାନ୍ । ସେହିଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ୫୮ ବଲରୁ ୪୧ ରନ୍ କରି ନଟ୍ ଆଉଟ୍ ରହି ଦଳକୁ ବିଜୟୀ କରାଇଛନ୍ତି ।

ତେବେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଇଶାନଙ୍କର ଏହି ଇନିଂସ ତାଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଏହାବ୍ୟତୀତ ଆସନ୍ତା ଦୁଲୀପ ଟ୍ରଫି ପାଇଁ ମଧ୍ୟ ତାଙ୍କୁ ଚୟନ କରାଯାଇଛି । ଏହାସହିତ ଦଳରେ ତାଙ୍କୁ ସୁଯୋଗ ଦେବା ନେଇ ବୋର୍ଡର ଚୟନକର୍ତ୍ତା ମଧ୍ୟ ଇସାରା ଦେଇଛନ୍ତି । ତେବେ ଏହି ପ୍ରଦର୍ଶନ ଆଗକୁ ଜାରି ରହିଲେ ଇଶାନଙ୍କୁ ଖୁବଶୀଘ୍ର ଭାରତୀୟ ଜର୍ସିରେ ମଧ୍ୟ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ ବ୍ୟତୀତ ଟି-୨୦ ସିରିଜ ମଧ୍ୟ ଖେଳାଯିବ । ତେଣୁ ଏହି ଦଳରେ ଇଶାନ କିଶାନଙ୍କୁ ସୁଯୋଗ ମିଳିବାର ସମ୍ଭାବନା ମଧ୍ୟ ରହିଛି ।

Get real time updates directly on you device, subscribe now.