ଭୁବନେଶ୍ୱର : କାର୍ଯ୍ୟରେ ଅବହେଳା ଓ ଲୋକଙ୍କୁ ଦୁର୍ବ୍ୟବହାର କରି ନିଲମ୍ବିତ ହେଲେ ସୁନ୍ଦରଗଡ଼ ଜିଲ୍ଲା ହେମଗିର ତହସିଲଦାର ଲାବଣ୍ୟନ୍ଦୁ ମହାନ୍ତି । ନିଲମ୍ବନ ଅବଧି ସମୟ ମଧ୍ୟରେ ଲାବଣ୍ୟନ୍ଦୁ ଜିଲ୍ଲାପାଳଙ୍କ ଅଫିସରେ ରିପୋର୍ଟ କରିବେ ଏବଂ ଜିଲ୍ଲାପାଳଙ୍କ ଅନୁମତି ବିନା ସେ ମୁଖ୍ୟାଳୟ ଛାଡ଼ି କେଉଁଆଡ଼େ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ଖବର ମୁତାବକ, ସଦ୍ୟ ନିଲମ୍ବିତ ହୋଇଥିବା ଲାବଣ୍ୟନ୍ଦୁ ମହାନ୍ତି ନିୟମିତ ଅଫିସକୁ ଆସୁ ନଥିବା ଏବଂ ତହସିଲ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କୁ ଦୁର୍ବ୍ୟବହାର ଓ ଗାଳିଗୁଲଜ କରୁଥିବା ନେଇ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରାଯାଇଥିଲା ।
ତଦନ୍ତ ରିପୋର୍ଟକୁ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ତହସିଲଦାର ଲାବଣ୍ୟନ୍ଦୁ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି । ତହସିଲଦାର ଲାବଣ୍ୟନ୍ଦୁ ମହାନ୍ତିଙ୍କୁ ନିଲମ୍ବନ କରାଯିବା ପଦକ୍ଷେପରେ ସ୍ଥାନୀୟ ଲୋକେ ବେଶ ଖୁସି ପ୍ରକଟ କରିବା ସହ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ।