fbpx

୨୦୨୩ର ୧୦ଟି ବଡ଼ ଘଟଣା: ଆଜି ବି ମନରୁ ଲିଭୁ ନାହିଁ

Advertisement

ଆଉ ଦିନ କେଇଟା ପରେ ୨୦୨୩ ବର୍ଷ ବିଦାୟ ନେବ ଆଉ ୨୦୨୪ ନୂଆବର୍ଷ ପାଦ ଥାପିବ । ତେବେ ଏଭଳି ସ୍ଥିତିରେ ଚଳିତ ବର୍ଷର ଅନେକ ବଡ଼ ଘଟଣା ଉପରେ ଆଲୋକପାତ କରିବାର ସମୟ ଆସିଯାଇଛି । କିଛି ଘଟଣା ଲୋକଙ୍କ ମନରେ ଖୁସି ଭରିଦେଇଥିବା ବେଳେ ଆଉ କିଛି ଘଟଣାର ଦୁଃଖ ଆଜି ବି କେହି ଭୁଲି ପାରୁନାହାନ୍ତି ।

୧- ୨୦୨୩ ବର୍ଷରେ ଭାରତ ମହାକାଶ ଯାତ୍ରା କ୍ଷେତ୍ରରେ ଅନେକ ସଫଳତା ହାସଲ କରିଥିଲା । ଅଗଷ୍ଟ ୨୩ ତାରିଖରେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରି ଇତିହାସ ରଚିଥିଲା । ଏହି ମିଶନରେ ପାଖାପାଖି ୭୨୪ କୋଟି ଖର୍ଚ୍ଚ ହୋଇଥିବା କୁହାଯାଉଛି ।

୨- ଜୁନ ମାସ ୧୮ ତାରିଖରେ ଭାରତରୁ ଫେରାର ଥିବା ଖଲ୍ଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରକୁ କାନାଡ଼ାରେ ହତ୍ୟା କରାଯାଇଥିଲା । ଏହି ମାମଲା ପରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋ ଦେଇଥିବା ବୟାନକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଦୁଇ ଦେଶର ରାଷ୍ଟ୍ରଦୂତଙ୍କୁ ଫେରାଇ ଦିଆଯିବା ଆଦେଶ ଦିଆଯିବା ସହିତ ଭିସା ସେବା ମଧ୍ୟ ରଦ୍ଦ କରି ଦିଆଯାଇଥିଲା ।

୩- ମେ ମାସ ୩ ତାରିଖରେ ମଣିପୁରରେ ମିତଈ ଓ କୁକୀ ସମ୍ପ୍ରଦାୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ହିଂସାରେ ପାଖାପାଖି ୨୦୦ ଜଣଙ୍କର ମୃତ୍ୟୁ ଘଟିଥିଲା । ଏଥିସହିତ ଉପଦ୍ରବକାରୀମାନେ ପାଖାପାଖି ୫ ହଜାର ଘରେ ନିଆଁ ଲଗାଇ ଦେଇଥିଲେ । ମହିଳାଙ୍କ ସହିତ ଅଭଦ୍ରତା ଓ ନଗ୍ନତା ଆଚରଣକୁ ନେଇ ସାରା ଦେଶ ତଥା ଦୁନିଆରେ ମଣିପୁର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

୪- ମେ ମାସ ୨୮ ତାରିଖରେ ଦେଶର ନୂଆ ସଂସଦ ଭବନ ଉଦଘାଟିତ ହୋଇଥିଲା । ୧୯୨୭ ମସିହାରେ ଇଂରେଜ ଅମଳରୁ ତିଆରି ହୋଇଥିବା ପାର୍ଲାମେଣ୍ଟ ଭବନରେ ରହିଥିବା ଲୋକସଭା ଓ ରାଜ୍ୟସଭା ନୂଆ ସଂସଦ ଭବନକୁ ଶିଫ୍ଟ ହୋଇଯାଇଥିଲା । ସେପ୍ଟମ୍ବର ୧୯ରେ ପୁରୁଣା ସଂସଦ ଭବନରେ ଏକ ଛୋଟ କାର୍ଯ୍ୟକ୍ରମ ପରେ ନୂଆ ସଂସଦ ଭବନରେ କାର୍ଯ୍ୟାରମ୍ଭ ହୋଇଥିଲା ।

୫- ପାଲେଷ୍ଟାଇନ ଆତଙ୍କବାଦୀ ହମାସ ଓ ଇସ୍ରାଏଲ ମଧ୍ୟରେ ଦେଖାଦେଇଥିବା ଯୁଦ୍ଧ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା । ଏହି ଘଟଣାରେ ଦୁଇ ପକ୍ଷରୁ ବହୁ ଲୋକଙ୍କର ଜୀବନ ଯିବା ସହିତ ବହୁ ଧନସମତ୍ତି ନଷ୍ଟ ହୋଇଥିଲା । ଏବେ ବି ଦୁଇ ଦେଶ ମଧ୍ୟରେ ଆକ୍ରମଣ ଜାରି ରହିଛି ।

୬- ଫେବୃଆରୀ ୬ରେ ତୁର୍କୀ ଓ ସିରିୟାରେ ୭.୮ ଓ ୭.୫ ତୀବ୍ରତା ବିଶିଷ୍ଟ ଭୟଙ୍କର ଭୂକମ୍ପ ଦେଖିବାକୁ ମିଳିଥିଲା । ଏହି ବିନାଶକାରୀ ଭୂକମ୍ପରେ ତୁର୍କୀର ୫୦ ହଜାରରୁ ଅଧିକ ଓ ସିରିଆର ୮ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏଥିସହିତ ସେପ୍ଟେମ୍ବର ୮ରେ ଆଫ୍ରିକୀୟ ଦେଶ ମରକ୍କୋରେ ୬.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇ ୨୯୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

୭- ଜୁନ୍ ମାସ ୨ ତାରିଖରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଘଟିଥିବା ରେଳ ଦୁର୍ଘଟଣାରେ ସାରା ବିଶ୍ୱ ବି ଲୁହ ଝରାଇଥିଲା । ଏହି ଦୁର୍ଘଟଣାରେ ୩୦୦ ଜଣଙ୍କର ମୃତ୍ୟୁ ଘଟିବା ସହିତ ୧ ହଜାରରୁ ଅଧିକ ଆହତ ହୋଇଥିଲେ । ୧୯୯୫ ମସିହାରେ ଫିରୋଜାବାଦ ରେଳ ଦୁର୍ଘଟଣା ପରେ ଏହା ଭାରତବର୍ଷର ସବୁଠାରୁ ବଡ଼ ଦୁର୍ଘଟଣା ଥିଲା ।

୮- ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ସିଲକ୍ୟାରା ସୁଡ଼ଙ୍ଗରେ ଫଶି ରହିଥିବା ୪୧ ଜଣ ଶ୍ରମିକ ଦୀର୍ଘ ୧୭ ଦିନର ରେସକ୍ୟୁ ଅଭିଯାନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ । ନଭେମ୍ବର ୧୨ ତାରିଖରେ ଅଚାନକ ଟନେଲ ଭୁଶୁଡ଼ି ପଡ଼ିବା ଫଳରେ ଶ୍ରମିକମାନେ ତା’ ଭିତରେ ଫଶି ଯାଇଥିଲେ । ସେଥିରେ ଓଡ଼ିଶାର ୫ ଜଣ ଶ୍ରମିକ ରହିଥିଲେ ।

୯- ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରକୁ ୨୦୨୨ରେ ବିଶ୍ୱର ଅନ୍ୟତମ ଉଦ୍ୟୋଗପତି ଏଲନ ମସ୍କ ଅଧିଗ୍ରହଣ କରିଥିବା ବେଳେ ୨୦୨୩ରେ ତା’ର ନାମ ପରିବର୍ତ୍ତନ କରି ‘ଏକ୍ସ’ କରିଦେଇଥିଲେ । ଏଥିସହିତ ମସ୍କ ଟ୍ୱିଟରରେ ବ୍ଲୁ ଟିକ୍ ବା ଭେରିଫାଏଡ୍ ଆକାଉଣ୍ଟ ପାଇଁ ଫିସ୍ ଲାଗୁ କରିଥିଲେ । ।

୧୦- ଜାନୁଆରୀ ୨୮ରୁ ଫେବୃଆରୀ ୪ ମଧ୍ୟରେ ଆମେରିକା ଓ କାନାଡ଼ାର ଆକାଶରେ ଚୀନ ବେଲୁନ୍ ଉଡ଼ୁଥିବାର ଦେଖାଦେଇଥିଲା । ବହୁ ଉଚ୍ଚତାରେ ଉଡ଼ୁଥିବା ଏହି ବେଲୁନ ପଛରେ ଚୀନର ଷଡ଼ଯନ୍ତ୍ର ରହିଥିବା କୁହାଯାଇଥିବା ବେଳେ ଆମେରିକା କିଛି ବେଲନକୁ ମାରି ଖସାଇ ଦେଇଥିଲା । ଏହି ଘଟଣା ପରେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ଏଣ୍ଟନୀ ବ୍ଲିଙ୍କେନ ନିଜର ବେଜିଂ ଗସ୍ତକୁ ସ୍ଥଗିତ ରଖିଥିଲେ ।

Get real time updates directly on you device, subscribe now.