fbpx

ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଜାଣନ୍ତୁ ୧୦ଟି ଅପଡେଟ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ଧୀରେଧୀରେ ନିଜର କାୟା ମେଲାଇବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ତେଣୁ ଏହାର ଭୟାବହତା ନେଇ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ସମସ୍ତ ରାଷ୍ଟ୍ରଙ୍କୁ ଚେତାବନୀ ଦିଆସାରିଛି । ବୈଜ୍ଞାନିକମାନେ ମଧ୍ୟ ଏହାର ଭୟଙ୍କର ପ୍ରଭାବ ନେଇ ଚିନ୍ତିତ ରହିଥିବା ବେଳେ ସେନେଇ ପ୍ରକୃତ ତଥ୍ୟ ସାମନାକୁ ଆଣିବା ନେଇ ପ୍ରୟାସ ଜାରି ରଖିଛନ୍ତି । ତେବେ ଆସନ୍ତୁ ଜାଣିବା ଓମିକ୍ରନକୁ ନେଇ ଭୟ ସୃଷ୍ଟି ହେବା ପଛର କିଛି କାରଣ ।

୧- ଓମିକ୍ରନ ଭାରିଆଣ୍ଟର ପ୍ରଥମ ମାମଲା ଦକ୍ଷିଣ ଆଫ୍ରିକାରୁ ଗତ ମାସ ୨୪ ତାରିଖରେ ମିଳିଥିଲା । ସେ ସମୟରେ ସେ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଭାରିଆଣ୍ଟ ୩୦ଟି ମ୍ୟୁଟେସନ ସୃଷ୍ଟି କରିଥିବା ନେଇ କୁହାଯାଇଥିଲା । ଆଶଙ୍କା କରାଯାଉଛି ଅନ୍ୟ ଭାରିଆଣ୍ଟ ତୁଳାନରେ ଏହା ଅଧିକ ଘାତକ ସାବ୍ୟସ୍ତ ହେବ ।

୨- ଓମିକ୍ରନର ଜନ୍ମସ୍ଥଳ ଦକ୍ଷିଣ ଆଫିକ୍ରାରେ ଏବେ ପରିସ୍ଥିତି ସଙ୍ଗୀନ ଅବସ୍ଥାରେ ରହିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ଲେବଲ-୧ ଲକଡାଉନ ଲାଗୁ କରାଯାଇଛି । ତେଣୁ ସମଗ୍ର ବିଶ୍ୱ ପାଇଁ ଏହା ଏକ ଚ୍ୟାଲେଞ୍ଜ ପରି । କାରଣ ଯଦି ସେଠାରେ ଲକଡାଉନ ଲାଗୁ ହେଉଛି, ଧୀରେଧୀରେ ଅନ୍ୟ ଦେଶରେ ମଧ୍ୟ ଲାଗୁ ହୋଇପାରେ ।

୩- ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିଭିନ୍ନ ଦେଶକୁ ନେଇ ଟ୍ରାଭେଲ ବ୍ୟାନ ଲାଗୁ କରିଛି । ଏହି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆମେରିକା, କାନାଡ଼ା, ବ୍ରାଜିଲ, ଥାଇଲାଣ୍ଡ, ଅଷ୍ଟ୍ରେଲିଆ, ସିଙ୍ଗାପୁର ଆଦି ସାମିଲ ହୋଇଛନ୍ତି ।

୪- ହୁ ପକ୍ଷରୁ ଓମିକ୍ରନକୁ ‘ଭାରିଆଣ୍ଟ ଅଫ୍ କନସର୍ଣ୍ଣ’ ଆଖ୍ୟା ଦିଆଯାଇଛି । ଯଦିଓ ଭାରିଆଣ୍ଟକୁ ନେଇ ଅଧିକ ତଥ୍ୟ ସାମନାକୁ ଆସିନାହିଁ, ତଥାପି ଏହାକୁ ନେଇ ଅଧିକ ଆଶଙ୍କା ଜାରି ରହିଛି ।

୫- ଯଦି ଭାରତ କଥା କୁହାଯିବ, ଏଠାରେ ମଧ୍ୟ ଟ୍ରାଭେଲକୁ ନେଇ ଆଡଭାଇଜରି ଜାରି କରାଯାଇଛି । ବିଭିନ୍ନ ଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କୁ ଏୟାରପୋର୍ଟରେ କୋଭିଡ୍ ଟେଷ୍ଟ କରାଯାଉଛି ।

୬- କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କଟକଣା କଠୋର ନେଇ ନିର୍ଦ୍ଦେଶ ଦିଆଯାଇଛି । ଦେଶର ପ୍ରଥମ ରାଜ୍ୟ ଭାବେ ସିକିମ ବିଦେଶ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି । ୧୫ ଡିସେମ୍ବରରୁ ରାଜ୍ୟକୁ କୌଣସି ବିଦେଶୀ ନାଗରିକ ଆସିବେ ନାହିଁ ବୋଲି କୁହାଯାଇଛି ।

୭- ସେହିପରି ଅନ୍ୟ ଦେଶରୁ ମହାରାଷ୍ଟ୍ରକୁ ଆସୁଥିବା ଯାତ୍ରୀଙ୍କ ପାଇଁ କ୍ୱାରେଣ୍ଟାଇନ ନିୟମ ଲାଗୁ କରାଯାଇଛି । ଏଥିସହ ଏୟାରପୋର୍ଟରେ କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ଯାହାର ପଜିଟିଭ୍ ଆସିବ, ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ ବୋଲି କୁହାଯାଇଛି ।

୮- ଉତ୍ତରପ୍ରଦେଶରେ ବସ, ରେଳ ଷ୍ଟେସନରେ ଟେଷ୍ଟିଂ ସୁବିଧା ଉପଲବ୍ଧ କରାଯାଇଛି । ଏଥିସହ ଥର୍ମାଲ ସ୍କାନିଂ ଉପରେ ଜୋର ଦିଆଯାଇଛି ।

୯- କର୍ଣ୍ଣାଟକରୁ ଓମିକ୍ରନର ଦୁଇଟିର ମାମଲା ଚିହ୍ନଟ ହେବା ପରେ ସେଠାରେ କଟକଣା କଠୋର କରାଯାଇଛି । ଉକ୍ତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ବେଳେ ଅନ୍ୟ ଜଣଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ ।

୧୦- ଓମିକ୍ରନକୁ ନେଇ ଅଧିକ ତଥ୍ୟ ସାମନାକୁ ଆସିନଥିଲେ ହେଁ ସତର୍କ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏହି ଭାରିଆଣ୍ଟରେ ସଂକ୍ରମିତ ଜଣେ ବ୍ୟକ୍ତି ୧୮ରୁ ୨୦ ଜଣଙ୍କୁ ପଜିଟିଭ୍ କରାଇବାର କ୍ଷମତା ରଖିଥାଏ ବୋଲି ଡାକ୍ତର ନରେଶ ତ୍ରେହାନ ମତ ଦେଇଛନ୍ତି ।

Get real time updates directly on you device, subscribe now.