Breaking: ଭୟଙ୍କର ବସ୍ ଦୁର୍ଘଟଣା, ଗାଡ଼ିରେ ଥିଲେ ଯାତ୍ରୀ, ପୋଲ ତଳକୁ ଖସି ପାଣିରେ ବୁଡ଼ିଗଲା ବସ୍
ପ୍ରଥମେ ଟ୍ରାକ୍ଟରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ପରେ ସିଧା ଯାଇ ପୋଲ ତଳକୁ ଖସି ପାଣିରେ ପଡ଼ିଲା।
ବାଲେଶ୍ୱର: ଭୟଙ୍କର ବସ୍ ଦୁର୍ଘଟଣା। ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍। ଆଉ ପୋଲରୁ ଖସି ସିଧା ଯାଇ ପଡ଼ିଲା ରେନାଲ ପାଣି ଭିତରେ। ଆଉ ବସଟି ଅଧାରୁ ଅଧିକ ପାଣି ଭିତରେ ବୁଡ଼ିଯାଇଥିବାର ଦେଖିବାକୁ ମିଳିଛି।
ତେବେ ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ଅଗ୍ନିଶମବାହିନୀର ପ୍ରଚେଷ୍ଟାରେ ବସରେ ଥିବା ୪୦ରୁ ଅଧିକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଏହାସହ ଆହତ ଯାତ୍ରୀଙ୍କୁ ହସ୍ପିଟାଲ ମଧ୍ୟ ପଠାଯାଇଛି।
ଅଗ୍ନିଶମ ବାହୀନିର କହିବା କଥା ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରା ସରିଛି। କିନ୍ତୁ ଯେହେତୁ ବସଟି ଅଧାରୁ ଅଧିକ ପାଣି ଭିତରେ ବୁଡ଼ି ରହିଛି, ତେଣୁ ସନ୍ଦେହ ହେଉଛି କି ବସ୍ ତଳେ ଚାପି ହୋଇ ଆଉ କୌଣସି ଯାତ୍ରୀ ପାଣି ଭିତରେ ରହିଯାଇଥାଇପାରନ୍ତି।
ତେଣୁ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ତେବେ ଦୁର୍ଘଟଣାଟି ଘଟିଛି ବାଲେଶ୍ୱର ନୁଣିଆଯୋଡ଼ି ପୋଲ ପାଖରେ। ବାଲିଆପାଳରୁ ବାଲେଶ୍ୱର ଯାଉଥିଲା ଯାତ୍ରାବାହୀ ବସ୍। ଭାରସାମ୍ୟ ହରାଇ ପ୍ରଥମେ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ତାପରେ ପୋଲ ତଳକୁ ଖସି ପଡ଼ିଥିଲା ବସ୍।