fbpx

ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହୋଇପାରନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ: ମିଳିଲା ୧୦୦ ସାଂସଦଙ୍କ ସମର୍ଥନ!

Advertisement

ନୂଆଦିଲ୍ଲୀ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରୁ ଲିଜ୍ ଟ୍ରସ୍ ଇସ୍ତଫା ଦେବା ପରେ ତାଙ୍କ ଉତ୍ତରାଧିକାରୀ କିଏ ହେବ ସେ ନେଇ ଆକଳନ ଅରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ଖବର ଆସୁଛି ଯେ, ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଅଶାୟୀଙ୍କ ତାଲିକାରେ ସାମିଲ ହେବା ପାଇଁ ୧୦୦ ସାଂସଦଙ୍କ ସମର୍ଥନ ହାସଲ କରିସାରିଛନ୍ତି। ଅନ୍ୟପଟେ ଖବର ଆସିଛି ଯେ, କାରିବିଆନ୍ ଦେଶରେ ଛୁଟିରେ ଥିବା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ ଏହି ଦୌଡ଼ରେ ଯୋଗଦେବା ଉଦ୍ଦେଶ୍ୟରେ ଘରକୁ ଫେରିଛନ୍ତି।

୪୨ ବର୍ଷୀୟ ସୁନକଙ୍କୁ ସମର୍ଥନ କରୁଥିବା ସାଂସଦଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୂଚନାଯୋଗ୍ୟ ଯେ ଏପର୍ଯ୍ୟନ୍ତ ଦଳର ନେତା ହେବାକୁ ସୁନକ ଏବଂ ଜନସନ ନିର୍ବାଚନ ଲଢିବା ପାଇଁ ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି। ଏପର୍ଯ୍ୟନ୍ତ ‘ଲିଡର ଅଫ୍ କମନ୍ସ’ ପେନି ମର୍ଡାଣ୍ଟ ହେଉଛନ୍ତି ଏକମାତ୍ର ପ୍ରାର୍ଥୀ ଯିଏ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ତେବେ ପୂର୍ବତନ ଅର୍ଥମନ୍ତ୍ରୀ ସୁନକଙ୍କୁ କ୍ଷମତାସୀନ ଦଳର ବିଭିନ୍ନ ଦଳର କିଛି ସାଂସଦ ଏବଂ କିଛି ସାଂସଦଙ୍କ ସମର୍ଥନ ମିଳିଛି।

ତେବେ ସୂଚନା ଅନୁଯାୟୀ ବ୍ରିଟେନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଭୋଟ୍ ସୋମବାର ଅନୁଷ୍ଠିତ ହେବ। ଅକ୍ଟୋବର ୨୮ ରେ ଫଳାଫଳ ଘୋଷଣା କରାଯିବ। ୟୁଗୋଭଙ୍କ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ବ୍ରିଟେନର ପାଞ୍ଚଜଣ ଭୋଟରଙ୍କ ମଧ୍ୟରୁ ତିନିଜଣ ସାଧାରଣ ନିର୍ବାଚନ ଚାହୁଁଥିବାବେଳେ ୫୦% ରୁ ଅଧିକ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଏହି ଦୌଡ଼କୁ ଫେରିବାକୁ ବିରୋଧ କରୁଛନ୍ତି। ବ୍ରିଟେନରେ ଶୀଘ୍ର ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ବିରୋଧୀ ଲେବର ପାର୍ଟିର ଆହ୍ୱାନ୍ ମଧ୍ୟରେ ଏହି ଭୋଟ୍ ମଧ୍ୟ ଆସିଛି। ତେଣୁ ଆଗାମୀ ସମୟରେ କିଏ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦବୀରେ ବସୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.