fbpx

ସୁପ୍ରିମକୋର୍ଟରେ ପହଞ୍ଚିଲା ବିଲକିସ୍ ବାନୋଙ୍କ ଦୋଷୀଙ୍କୁ ମୁକ୍ତ କରିବା ମାମଲା, ସିଜେଆଇ କହିଲେ- ବିଚାର କରିବୁ

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲକିସ୍ ବାନୋଙ୍କ ଦୋଷୀଙ୍କୁ ଜେଲରୁ ମୁକ୍ତ କରାଯିବା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ମାମଲାର ଶୁଣାଣି କରାଯାଇ ପାରିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ପ୍ରଧାନ ବିଚାରପତି ଏନଭି ରମଣା କହିଛନ୍ତି, ଆମେ ଏହି ମାମଲାର ଲିଷ୍ଟିଂକୁ ନେଇ ବିଚାର କରିବୁ। ଏହି ସମୟରେ ବିଲିକସ୍ ବାନୋ କେସର ତଦନ୍ତ କରୁଥିବା ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ବିବେଦ ଦୁବେ କହିଛନ୍ତି, ୧୪ ବର୍ଷ ପରେ ୧୧ ଦୋଷୀଙ୍କୁ ମୁକ୍ତ କରାଯିବା ଏହା ଦର୍ଶାଉଛି ଯେ, ଦୋଷୀଙ୍କ ଠାରେ ସୁଧାର ଦେଖିବାକୁ ମିଳିଛି। ଏଥିସହ ଦୋଷୀଙ୍କୁ ମୁକ୍ତ କରାଯିବାକୁ ବିରୋଧ କରୁଥିବା ଲୋକଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଏମିତି କରିବା ସମ୍ବିଧାନ ଭାବନା ବିରୋଧୀ।

ବିବେକ ଦୁବେ ସିବିଆଇର ଯୁଗ୍ମ ନିର୍ଦ୍ଦେଶ ଥିବା ସମୟରେ ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାର ଯାଞ୍ଚ କରିଥିଲେ। ଏହି କେସର ଯାଞ୍ଚ ଆଦେଶ ସୁପ୍ରିମକୋର୍ଟ ଦେଇଥିଲେ। ତାଙ୍କ ଟିମ୍ ହିଁ ଏହି ମାମଲାର ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ଆଧାରରେ ୧୨ ଜଣଙ୍କୁ ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏଥିରୁ ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିଲେ। ଦୋଷୀଙ୍କ ମଧ୍ୟରେ ପାଞ୍ଚ ଜଣ ପୋଲିସ୍ ଏବଂ ଦୁଇ ଡାକ୍ତର ସାମିଲ୍ ଥିଲେ। ଗୁଜରାଟ ଦଙ୍ଗା ସମୟରେ ଦାହୋଦ ଜିଲ୍ଲାରେ ବିଲକିସ ବାନୋଙ୍କ ପରିବାର ଲୋକଙ୍କୁ ହତ୍ୟା କରାଯାଇଥିଲା। ମୃତକଙ୍କ ମଧ୍ୟରେ ବିଲକିସ୍ ବାନୋଙ୍କ ଦୁଇ ବର୍ଷର ଝିଅ ମଧ୍ୟ ସାମିଲ୍। ଏହି ସମୟରେ ଗର୍ଭବତୀ ଥିବା ବିଲକିସ୍ ବାନୋଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା।

ବିଲକିସ୍ ବାନୋଙ୍କ ମୃତ୍ୟୁ ଘଟିଥିବା ଭାବି ଘଟଣାସ୍ଥଳରୁ ବଳାତ୍କାରୀ ଫେରାର ମାରିଥିଲେ। ମାତ୍ର ସେ ଜୀବନ୍ତ ଥିଲେ ଏବଂ ଚେତା ଫେରିବା ପରେ ଜଣେ ଆଦିବାସୀ ମହିଳାଙ୍କୁ କପଡା ମାଗିଥିଲେ। ତେବେ ବିଲକିସ ବାନୋଙ୍କ ବଳାତ୍କାରୀଙ୍କ ଜେଲରୁ ମୁକ୍ତ କରିବା ନେଇ ଗୁଜରାଟ ସମେତ ଦେଶର ଅନେକ ରାଜ୍ୟରେ ବିରୋଧ ପ୍ରଦର୍ଶନ ହୋଇଛି।

Get real time updates directly on you device, subscribe now.