ନୂଆଦିଲ୍ଲୀ: ଆପଣମାନେ ସାଧାରଣତଃ ଡେଲିଭରୀ ବୟକୁ ବାଇକ୍ କିମ୍ୱା ସାଇକେଲରେ ଡେଲିଭରୀ କରୁଥିବାର ଦେଖିଥିବେ। କିନ୍ତୁ କେବେ କୌଣସି ଡେଲିଭରୀ ବୟକୁ ବିଳାସପୂର୍ଣ୍ଣ ଗାଡ଼ିରେ ଡେଲିଭରୀ କରୁଥିବାର ଦେଖିଛନ୍ତି କିମ୍ୱା ଶୁଣିଛନ୍ତି କି?
ହେଲେ ଏବେ ସେପରି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଯେଉଁ ଭିଡ଼ିଓରେ ଡେଲିଭର ବୟ ଜଣକ ଏକ SUV ମହିନ୍ଦ୍ରା ଥାର ଗାଡିରେ ଡେଲିଭରୀ କରୁଥିବାର ଦେଖିବାକୁ ମିଳିଛି।
ଥାର ଗାଡିରେ ଡେଲିଭରୀ: ଘଟଣାଟି ହେଉଛି ଏମିତି, କି ଜଣେ ଗ୍ରାହକ ବ୍ଲିଙ୍କିଟ୍ ରୁ କିଛି ଜିନିଷ ଅର୍ଡର କରିଥିଲେ। ଆଉ ତାଙ୍କ ଅର୍ଡରକୁ କୌଣସି ବାଇକ୍ କିମ୍ୱା ସାଇକେଲରେ ନୁହେଁ ବରଂ ଥାର୍ ଗାଡିରେ ଡେଲିଭରୀ କରିବାକୁ ଆସିଥିଲା ଡେଲିଭରୀ ବୟ।
ଯାହାକୁ ଦେଖି କଷ୍ଟମର ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ @divyagroovezz ଆଇଡିରୁ ଏହାର ଭିଡ଼ିଓ ପୋଷ୍ଟ କରିଥିଲେ। ଯାହା ଏବେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି।
କ’ଣ କହିଲେ ୟୁଜର: ତେବେ ଗ୍ରାହକ ଜଣକ ଏହି ଭିଡ଼ିଓ ପୋଷ୍ଟ କରିବା ସମୟରେ ଲେଖିଛନ୍ତି, “କି ବ୍ଲିଙ୍କିଟ୍ ସେମାନଙ୍କର ଡେଲିଭରି ଏଜେଣ୍ଟମାନଙ୍କୁ ଏତେ ଟଙ୍କା ଦେଉଛି? ନା ମହିନ୍ଦ୍ରା ଏତେ ଶସ୍ତା ହୋଇଯାଇଛି?”
ଆଉ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହେବା ମାତ୍ରେ ଏହାର ମଜାଦାର କମେଣ୍ଟର ସୁଅ ଛୁଟୁଛି। ଅନେକ ନେଟିଜେନ୍ ଅନୁମାନ କରୁଛନ୍ତି ଯେ ଡେଲିଭରି ବୟ ତାଙ୍କର ବ୍ୟକ୍ତିଗତ ଥର ବ୍ୟବହାର କରୁଥିଲେ ନା ତାଙ୍କୁ ଅନ୍ୟ କୌଣସି କାରଣରୁ ଗାଡ଼ିକୁ ବ୍ୟବହାର କରିବାକୁ ପଡିଲା।
ଏହି ଭିଡ଼ିଓରେ ଜଣେ ୟୁଜର କମେଣ୍ଟ କରିଛନ୍ତି କି, “ହୁଏତ ବ୍ଲିଙ୍କିଟ୍ ଷ୍ଟୋରର ମାଲିକଙ୍କୁ ନିଜେ ଡେଲିଭରି କରିବାକୁ ପଡିଲା।” ଯେତେବେଳେ କି ଆଉ ଜଣେ ୟୁଜର ଲେକିଛନ୍ତି, “କିଛି ଲୋକ କେବଳ ଅଭିଜ୍ଞତା ପାଇଁ କିମ୍ବା ସମୟ ବିତାଇବା ପାଇଁ ଏହା କରନ୍ତି। ମୁଁ ଜଣେ ସ୍କୋର୍ପିଓ ମାଲିକଙ୍କୁ ମଧ୍ୟ ଭେଟିଥିଲି ଯିଏ ଡେଲିଭରି କରୁଥିଲେ।”
ହେଲେ ବର୍ତ୍ତମାନ ଏହି ବିଷୟରେ ବ୍ଲିଙ୍କିଟ୍ ପକ୍ଷରୁ କୌଣସି ସରକାରୀ ବୟାନ ଦିଆଯାଇ ନାହିଁ। ତଥାପି ଭିଡିଓଟି ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରୁଛି।