fbpx

ଚିକିତ୍ସା ଆଳରେ ଡାକ୍ତରଙ୍କୁ ଅପହରଣ କରି ମାଗିଥିଲେ ୨୫ ଲକ୍ଷ ଟଙ୍କା, ଘଟଣା ଖୁଲାସା ପରେ ୪ ଜଣଙ୍କୁ ଗିରଫ କଲା ପୋଲିସ

Advertisement

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦେଖାଦେଇଛି ଏକ ଚାଞ୍ଚଲ୍ୟକର ଘଟଣା । ଚିକିତ୍ସା ବାହାନାରେ ଡାକ୍ତରଙ୍କୁ ଘରକୁ ଡାକିବା ଓ ଏହା ପରେ ଅପହରଣ କରି ୨୫ ଲକ୍ଷ ଟଙ୍କା ମାଗିବା ଭଳି ଘଟଣା ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ୮ ତାରିଖରେ ଏହି ୪ ଜଣ ଯୋଜନା କରି ଦେହ ଖରାପ ଥିବା କଥା କହି ତୁରନ୍ତ ଆସନ୍ତୁ ବୋଲି ଜଣେ ଡାକ୍ତରଙ୍କୁ ଘରକୁ ଡାକିଥିଲେ । ଇରାନୀ ନାମକ ଜଣେ ମହିଳା ନିଜର ଦେହ ଖରାପ ଥିବାର କହି ତମାଣ୍ଡୋର ସିଟି ହୋମସର ଡୁପ୍ଲେକ୍ସ ୬୧କୁ ଡ଼କାଇଥିଲେ । ଆଉ ପରେ ତାଙ୍କୁ ମିଛ ମାମଲାରେ ଫସାଇ ଦେବା କଥା କହି ତାଙ୍କୁ ଅପହରଣ କରି ୨୫ ଲକ୍ଷ ଟଙ୍କା ମାଗିଲେ । ଚିକିତ୍ସା ଆଳରେ ଏଭଳି ଭାବେ ଜଣେ ଡାକ୍ତରଙ୍କୁ ଅପହରଣ କରାଯାଇଥିବା ମାମଲାର ପର୍ଦ୍ଦାଫାଶ ହୋଇଛି । ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ ପରେ ସମ୍ପୃକ୍ତ ଦମ୍ପତିଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଲେଡି ଡ଼ନ ଇରାନୀ ପାତ୍ର, ତାଙ୍କ ସ୍ୱାମୀ ନିଶିକାନ୍ତ ପାତ୍ର, ମନୋରଞ୍ଜନ ପ୍ରଧାନ ଓ ଶକ୍ତିକାନ୍ତ ହରିଚନ୍ଦନଙ୍କୁ ଗିରଫ କରାଯାଇଛି ।

ସୂଚନା ଥାଉକି, ଡାକ୍ତର ଜଣକ ଆସିବା ପରେ ତାଙ୍କୁ ଏମାନେ ବନ୍ଧକ ରଖି ଛୁରୀ ଦେଖାଇ ୨୫ ଲକ୍ଷ ଟଙ୍କା ମାଗିଥିଲେ । ଡାକ୍ତରଙ୍କ କାର ଚାବି, ସୁନା ବ୍ରେସଲେଟ ଓ ମୋବାଇଲ ଫୋନ ନେଇଯିବା ସହ ଧମକ ଦେଇଥିଲେ । ଯଦି ୨୫ ଲକ୍ଷ ଟଙ୍କା ନ ଦେବେ ତେବେ ମିଛ ମାମଲାରେ ଫସାଇଦେବେ ଓ ମିଡ଼ିଆ ଡାକି ଇଜ୍ଜତ ନେଇଯିବେ ବୋଲି ଧମକାଇଥିଲେ । ଏହାପରେ ଡାକ୍ତର ଜଣକ ୧୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ । ଅଭିଯୁକ୍ତ ମାନେ ଡାକ୍ତରଙ୍କୁ ଧମକ ଦେଇ ଅନଲାଇନ ପେମେଣ୍ଟ ସିଷ୍ଟମର ପାସୱାର୍ଡ଼ ନେଇଥିଲେ । ତେବେ ଦିନକୁ ମାତ୍ର ୧ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବାବେଳେ ଇରାନୀ ଓ ନିଶିକାନ୍ତ ଡାକ୍ତରଙ୍କୁ ନେଇ ତାଙ୍କ ଘରକୁ ଯାଇଥିଲେ ଓ ୯ ଲକ୍ଷ ଟଙ୍କାର ଚେକ ଦେବାକୁ କହିଥିଲେ । ଏବାବଦରେ କାହାକୁ କହିଲେ ମାରିଦେବେ ବୋଲି ଧମକ ଦେଇଥିଲେ । ତେବେ ପୁଲିସ ତଦନ୍ତରୁ ଜଣାପଡିଛି ଯେ ଏହି ଦୁଇଜଣ ପୂର୍ବରୁ ଦୁଇଥର ଏଭଳି କାରନାମା କରିଥିଲେ । କିନ୍ତୁ ଏମାନଙ୍କ ଲୁଟର ଶିକାର ହୋଇଥିବା ବ୍ୟକ୍ତିମାନେ ଥାନାରେ ଅଭିଯୋଗ କରିନଥିଲେ । ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୩୦ ହଜାର ଟଙ୍କା, ଭୁଜାଲି ମୋବାଇଲ ଜବତ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.