fbpx

ଖୁବଶୀଘ୍ର ଶସ୍ତା ହେବ ତେଲ: ବୈଠକ ପରେ ଖାଦ୍ୟ ତୈଳକୁ ନେଇ ଆସିଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଦରଦାମ ବୃଦ୍ଧିକୁ ନେଇ ଚିନ୍ତାରେ ଥିବା ବ୍ୟକ୍ତିମାନଙ୍କୁ ମିଳିପାରେ ଏକ ବଡ ଆଶ୍ୱସ୍ତି । ଆସନ୍ତା କିଛି ଦିନ ମଧ୍ୟରେ ଖାଦ୍ୟ ତୈଳ ଉପରେ ମହଙ୍ଗା ମାଡ ଟିକିଏ କମ୍ ହୋଇପାରେ ବୋଲି ଆଶା କରାଯାଉଛି । ଖାଦ୍ୟ ଏବଂ ଉପଭୋକ୍ତା ମନ୍ତ୍ରାଳୟ ସହିତ ଏକ ବୈଠକ ପରେ ଏହାର ମୂଲ୍ୟରେ ହ୍ରାସ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି ଖାଦ୍ୟ ତୈଳ ପ୍ରସେସର ଏବଂ ନିର୍ମାତା । ବିଦେଶୀ ମାର୍କେଟରେ ଖାଇବା ତେଲ ଦାମ୍ କମିବା ପରେ ଏବେ ଘରୋଇ ମାର୍କେଟରେ ଏହାର ଦାମ୍ କମାଇବା ପାଇଁ ଚିନ୍ତା କରାଯାଉଛି ।

ସୂଚନା ଅନୁଯାୟୀ, ବୈଶ୍ୱିକ ବଜାରରେ ତୈଳଦର ହ୍ରାସ ପାଇବା ପରେ ଘରୋଇ ବଜାରରେ ଖାଦ୍ୟ ତୈଳର ଦାମ୍ କମ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି ତୈଳ ଉତ୍ପାଦନକାରୀ କମ୍ପାନୀ । ଆସନ୍ତା ଦିନରେ ଏହି ଦର ୧୦-୧୨ ଟଙ୍କା ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଛି । ଗତ ମାସରେ ମଧ୍ୟ ତୈଳଦର ହ୍ରାସ କରିଥିଲେ କମ୍ପାନୀ । ଗତ ଜୁଲାଇରେ ଖାଦ୍ୟ ତୈଳ ଉପରେ ଲିଟର ପିଛା ୩୦ ଟଙ୍କା ହ୍ରାସ କରିବା ପାଇଁ ଘୋଷଣା କରିଥିଲା ଖାଦ୍ୟ ପ୍ରଡକ୍ଟ ପ୍ରସ୍ତୁତକାରୀ କମ୍ପାନୀ ଅଡାନୀ ୱିଲମର ।

ଖାଦ୍ୟ ତୈଳର ପ୍ରାୟ ଦୁଇ ତୃତୀୟାଂଶ ତେଲର ଆମଦାନୀ କରିଥାଏ ଭାରତ । ତେବେ ଋଷ-ୟୁକ୍ରେନ ଯୁଦ୍ଧ ଏବଂ ଇଣ୍ଡୋନେସିଆ ଦ୍ୱାରା ପାମ୍ ଅଏଲ ରପ୍ତାନୀ ଉପରେ ପ୍ରତିବନ୍ଧକ ପରେ ଖାଦ୍ୟ ତେଳ ଦର ବୃଦ୍ଧି ପାଇଥିଲା । ତେବେ ଇଣ୍ଡୋନେସିଆର ପ୍ରତିବନ୍ଧକ ହଟିବା ପରେ ବୈଶ୍ୱିକ ବଜାରରେ ତେଲ ଦର ହ୍ରାସ ପାଇଛି ।

Get real time updates directly on you device, subscribe now.